
ଭିଡିଓରେ ପୁଲିସର ବର୍ବରତା ସ୍ପଷ୍ଟ ଭାବେ ନଜର ଆସିଛି। ମାଡ଼ ମାରିଥିବା ପୁଲିସ ଜଣକ ସୁରସଣ୍ଡ ଥାନା ପ୍ରଭାରୀ ରାଜ କିଶୋର ସିଂହ ବୋଲି ଜଣାପଡିଛି। ଥାନା ପ୍ରଭାରୀ ରାଜ କିଶୋର ସିଂହ ହାତରେ ଲାଠି ଧରି ଦଳିତ ମହିଳାଙ୍କୁ ବିଚ୍ ରାସ୍ତାରେ ନିର୍ଧୁମ ମାଡ଼ ମାରୁଥିବା ଭିଡିଓରେ ନଜର ଆସିଛନ୍ତି। ମହିଳା ଜଣକ ଚିତ୍କାର କରୁଥିଲେ ସୁଦ୍ଧା ସେ ଲଗାତାର ତାଙ୍କ ଉପରେ ଲାଠି ବର୍ଷା କରି ଚାଲିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ।
ସେପଟେ ଏହି ଘଟଣାକୁ ନେଇ ପୁଲିସ ସଫେଇ କହିଛି ଯେ, ଘଟଣା ଜଣେ ଝିଅ ଅପହରଣ ସହିତ ଜଡ଼ିତ। ଅପହୃତା ଝିଅକୁ ଉଦ୍ଧାର କରାଯାଇଛି। କିନ୍ତୁ, ଥାନାକୁ ଆସିଥିବା ଦୁଇ ଗୋଷ୍ଠୀ ଥାନା ବାହାରେ ନିଜ ନିଜ ମଧ୍ୟରେ ମାରପିଟ୍ ଲାଗିଥିଲେ। ଦୁଇ ମହିଳା ରାସ୍ତା ଉପରେ ଝଗଡ଼ା ଆରମ୍ଭ କରିଥିଲେ। ଫଳରେ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲାଲା। ଉତ୍ତ୍ୟକ୍ତ ଜନତାକୁ ଘଉଡ଼ାଇବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବାଧ୍ୟ ହୋଇ ପୁଲିସ ଲାଠି ଚଳାଇଥିଲା। ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି।