
ସୂଚନା ଅନୁସାରେ, ୩୦ ଅଗଷ୍ଟ ୨୦୧୬ରେ ପରିବାର ଅଦାଲତ ଶୁଣାଇଥିବା ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓମାର ଅବଦୁଲ୍ଲା। ବିଚାରପତି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ଜଷ୍ଟିସ ବିକାଶ ମହାଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରିବାର କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏଥିସହ ଅବଦୁଲ୍ଲାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ଆବେଦନକୁ ଖାରଜ କରି ବେଞ୍ଚ କହିଛନ୍ତି, ପରିବାର କୋର୍ଟଙ୍କ ରାୟରେ କୌଣସି ତ୍ରୁଟି। ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ବିରୁଦ୍ଧରେ ଓମାର ଅବଦୁଲ୍ଲା ଆଣିଥିବା ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ। କୋର୍ଟ କହିଛନ୍ତି, ପତ୍ନୀଙ୍କ ବିରୁଦ୍ଧରେ ଓମାର ଆଣିଥିବା ଅଭିଯୋଗର ପ୍ରମାଣ କରିପାରି ନାହାନ୍ତି। ସେ ମାନସିକ କିମ୍ବା ଶାରୀରିକ ସ୍ତରରେ ନିର୍ଯାତିତ ହେଉଥିଲେ ତା’ର ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରାଯାଉଛି।
କୋର୍ଟଙ୍କ ଏହି ରାୟ ପରେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର୍ କରିଛନ୍ତି ଓମାର। ସେ ଏକ ପୋଷ୍ଟରେ ଲେଖିଛନ୍ତି, ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ମୁଁ ନିରାଶ ହୋଇଛି। କିନ୍ତୁ ହାର୍ ମାନିବିନି, ଆଗକୁ ଲଢିବି ବୋଲି କହିଛନ୍ତି ଓମାର।
ଛାଡପତ୍ର ଆବେଦନ ତ’ ବ୍ୟକ୍ତିଗତ ନିରାଶର ସଙ୍କେତ, ତେବେ ବୃତ୍ତିଗତ ଭାବେ କେଉଁ ଘଟଣାକୁ ନିରାଶ ବୋଲି କହୁଛନ୍ତି ଓମାର। କହି ରଖୁ ଯେ, ଗତକାଲି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ବୃତ୍ତିଗତ ସ୍ତରରେ ନିରାଶ ଭାବେ ଉଲ୍ଲେଖ କରିଛନ୍ତି ଓମାର ଅବଦୁଲ୍ଲା। କାରଣ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫ୍ରେନ୍ସ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।