
ଗତ ଏକ ସପ୍ତାହ ଧରି ମେଘୁଆ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ପଛଘୁଞ୍ଚା ଦେଲେ। କାଳେ ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ ହୋଇଯିବ। ‘ଚୋର ଭୟ ଯେଉଁଠି ରାତି ହେଲା ସେଇଠି’ ନ୍ୟାୟରେ ଚାଷୀ ଯେଉଁ ବର୍ଷାକୁ ଡରୁଥିଲା ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଆଜି ହଜାର ହଜାର ଏକର ଚାଷ ଜମିର ଚାଷ ନଷ୍ଟ ହେବାର ଆଶଙ୍କା କରାଯାଉଛି। କଲମପୁର ବ୍ଲକର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଛି। ସେଥିମଧ୍ୟରୁ ୨୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବା ବେଳେ ୮୦ ପ୍ରତିଶତ ଧାନ ଚାଷ ଜମିରେ ରହିଛି। ଯାହା ଲଗାଣ ବର୍ଷାର ପ୍ରଭାବରେ ଭିଜି ନଷ୍ଟ ହେବା ନିଶ୍ଚିତ। ଅନ୍ୟପଟେ ଅମଳ ହୋଇଥିବା ଧାନ ମଧ୍ୟ ଖଳାରେ ପଡ଼ିରହିଥିବାରୁ ପାଣି ଭିଜି ନଷ୍ଟ ହେବାର ସମ୍ଭାବନା ରହିଛି।
ଚାଷୀ ଧାନ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ଏକର ପ୍ରତି ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିପାଇଁ ଚାଷୀ ବିଭିନ୍ନ ବ୍ୟାଙ୍କ, ସାର ବ୍ୟବସାୟୀ ଏବଂ ମହାଜନମାନଙ୍କଠାରୁ ଋଣ ଏବଂ ଧାର ଉଧାର କରି ଚାଷ କାର୍ଯ୍ୟ କରିଥିଲେ। ଅମଳ ବେଳକୁ ବର୍ଷା ଦାଉ ସାଧିବାରୁ ଚାଷୀ ଏବେ ଚିନ୍ତାରେ। କିଭଳି ପରିବାର ପ୍ରତିପୋଷଣ କରିବେ, କିଭଳି ସେମାନଙ୍କ ଋଣ ପରିଶୋଧ କରିବେ ସେନେଇ ଚାଷୀ ଆଖିରୁ ନିଦ ହଜିଯାଇଛି। ଗୁରୁବାର କଲମପୁର ତହସିଲ ଅଧିନସ୍ଥ କଲମପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ କୃଷି ବିଭାଗରୁ କଲମପୁର କୃଷି କର୍ମୀ ପ୍ରଭାସିନୀ ପାତ୍ର କିଛି ପ୍ରଭାବିତ ଚାଷ ଜମି ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି।