Spread the love

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତୀୟ ସେନାକୁ ପେଟ୍ରୋଲିଂ ପଏଣ୍ଟକୁ ଯିବାରେ ଚୀନ ସେନା ବାଧା ଦେଉଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶର ଆଞ୍ଚଳିକ ଦଳ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ଦ୍ୱାରା ଗଠିତ ୪ ଜଣିଆ ଅନୁସନ୍ଧାନକାରୀ ଦଳ ନିଜ ରିପୋର୍ଟରେ ଦାବି କରିଛନ୍ତି ଯେ, ଅପର ସୁବନ୍‌ସିରୀ ଜିଲାର ଟାକ୍‌ସିଂ ସେକ୍ଟରରେ ଚୀନ ସେନା ଭାରତୀୟ ସେନାକୁ କେତେକ ପ୍ରମୁଖ ପାଟ୍ରୋଲିଂ ପଏଣ୍ଟକୁ ଯିବାକୁ ଅନୁମତି ଦେଉନାହିଁ। ରିପୋର୍ଟ ଅନୁସାରେ, ‘ସେରା ୫ ପଏଣ୍ଟ’ ଭାରତର ଏକ ନିର୍ଦ୍ଦିଷ୍ଟ ପାଟ୍ରୋଲିଂ ପଏଣ୍ଟ ଥିଲା, ଯେଉଁଠାରେ ୨୦୨୩ ମସିହାରେ ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଚୀନ୍‌ ସେନା ସେଠାରେ ଥିବା ଭାରତୀୟ ସୀମା ନିର୍ଦ୍ଧାରକ ଚିହ୍ନଗୁଡ଼ିକୁ ହଟାଇବା ସହ ଭାରତୀୟ ପାଟ୍ରୋଲିଂକୁ ବାଧା ଦେଉଛନ୍ତି।

ସ୍ଥାନୀୟ ନାହ ଓ ମାରା ଜନଜାତିର ଲୋକମାନେ ଗୋରୁ ଚରାଇବା ଓ ଶିକାର ପାଇଁ ବ୍ୟବହାର କରୁଥିବା ‘ନାଙ୍ଗା ପାହାଡ଼’ ଅଞ୍ଚଳରେ ଚୀନ୍‌ ସେନା ପ୍ରବେଶ ନିଷେଧ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ଭାରତୀୟ ସେନା ଅସ୍ୱୀକାର କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ, ସୀମାରେ ଚୀନ୍‌ ଦ୍ୱାରା କୌଣସି ନୂଆ ଅନୁପ୍ରବେଶ କିମ୍ବା ବେଆଇନ କ୍ୟାମ୍ପ୍ ସ୍ଥାପନ ହୋଇ ନାହିଁ ଓ ଏସବୁ ଖବର ଭିତ୍ତିହୀନ। ନିକଟରେ ଭାରତ ସରକାରଙ୍କ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୨୭ଟି ପ୍ରମୁଖ ସ୍ଥାନ (ପାହାଡ଼, ଗିରିପଥ, ହ୍ରଦ)ର ଆନୁଷ୍ଠାନିକ ଭାରତୀୟ ନାମକରଣ ଓ ଚିହ୍ନଟ କରି ଚୀନ୍‌ର ଦାବିକୁ ଦୃଢ଼ ଜବାବ ଦେଇଛନ୍ତି। ଏହି ରିପୋର୍ଟ ଆସିବା ପରେ ବିରୋଧୀ ଦଳ ସଂସଦ ଓ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସୀମା ପରିସ୍ଥିତି ଅତି ସଂବେଦନଶୀଳ ଥିବାରୁ କେନ୍ଦ୍ର ସରକାର ପ୍ରକୃତ ସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ସ୍ପଷ୍ଟ ସୂଚନା ଦିଅନ୍ତୁ ବୋଲି ବିରୋଧୀ ନେତାମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *