
ସୂଚନାଯୋଗ୍ୟ, ମାହାଙ୍ଗା ଥାନା ଅଧୀନ ନୃତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ୨୦୨୧ ଜାନୁୟାରୀ ୨ରେ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ମାହାଙ୍ଗା ବିଧାୟକ ତଥା ତକତ୍ାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ପୋଲିସ ରୁଜୁ କରିଥିବା ମାମଲାରେ ତାଙ୍କ ନାମ ଅଭିଯୁକ୍ତ ତାଲିକାର ୧୩ ନମ୍ବରରେ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପ୍ରତାପଙ୍କ ନାମ ପୋଲିସ ଚାର୍ଜଶିଟରୁ କାଟି ଦେଇଥିଲା। ଏହାକୁ ବିରୋଧ କରି ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ୨୧୭/୨୧ରେ ଏକ ପ୍ରୋଟେଷ୍ଟ ପିଟିଶନ ଦାଖଲ କରିଥିଲେ। ଏହି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମାହାଙ୍ଗା ଥାନା ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଘଟଣାରେ ଜଡ଼ିତ ପ୍ରତାପଙ୍କ ପିଏ ଉମାକାନ୍ତ ବିଶ୍ୱାଳ(ବାପି), ତତ୍କାଳିନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ ଡିଟେଲ ରେକର୍ଡ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପୋଲିସ ବାରମ୍ବାର ସମୟ ଗଡ଼ାଇ ବିଳମ୍ବ କରିବାରୁ କୋର୍ଟ ଭର୍ତ୍ସନା କରିଥିଲେ। ଶେଷରେ ଚାର୍ଜଶିଟ, କଲ ରେକର୍ଡ ସମେତ ମାମଲାର ଦସ୍ତାବିଜ କୋର୍ଟରେ ପୋଲିସ ଦାଖଲ କରିଥିଲା। ଇତିମଧ୍ୟରେ କୁଳମଣିଙ୍କ ପୁଅ ରମାକାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ଭାଇ ରଞ୍ଜିତ କୁମାର ବରାଳ ପୁନର୍ବାର ରିଭ୍ୟୁ ପିଟିଶନ ଦାଖଲ କରିଥିଲେ। ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ମାମଲାର ପାରିପାର୍ଶ୍ୱିକ ଅବସ୍ଥାକୁ ଆଖି ଆଗରେ ରଖି ସାଲେପୁର ଜେଏମ୍ଏଫ୍ସି କୋର୍ଟ ୧୫।୯।୨୦୨୩ରେ ବିଧାୟକ ପ୍ରତାପ ଜେନାଙ୍କ ନାମରେ ମାମଲା ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।