Spread the love

 

ବସୁଛି ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ‘ଟୁ ପ୍ଲସ୍ ଟୁ’ ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି।

ଅଷ୍ଟିନ ଏବଂ ବ୍ଲିଙ୍କେନ୍ ଆଜିର ବୈଠକରେ ପ୍ରତିନିଧିତ୍ୱ କରିବେ। ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ପକ୍ଷରୁ ବୈଠକରେ ଅଂଶଗ୍ରହଣ କରିବେ। ଗୁରୁବାର ଅଷ୍ଟିନ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ଆଜି ଅପରାହ୍ନ ଗୋଟାଏରେ ‘ସୁଷମା ସ୍ୱରାଜ ଭବନ’ରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ରାଜନାଥ ସିଂ ଏବଂ ଲୋୟଡ ଅଷ୍ଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅପରାହ୍ନ 2ଟାରୁ ଆରମ୍ଭ ହେବ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ‘ଟୁ ପ୍ଲସ୍ ଟୁ’ ବୈଠକରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ବୃଦ୍ଧି, ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ। ଚଳିତ ବର୍ଷ ଜୁନ୍ ଏବଂ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହି ସମୟରେ ଉଭୟ ନେତା ଭାରତ-ଆମେରିକା ସହଭାଗୀତାର ଭବିଷ୍ୟତର ରୋଡମ୍ୟାପ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହାକୁ ଆଗକୁ ନେବା କ୍ଷେତ୍ରରେ ‘ଟୁ ପ୍ଲସ୍ ଟୁ’ ବୈଠକରେ ଆଲୋଚନା ହେବ।

ଏଥି ସହିତ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ଆଲୋଚନାର କେନ୍ଦ୍ରରେ ହେବାକୁ ଯାଉଛି। ୟୁରୋପରେ ଚାଲିଥିବା ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏହି ପ୍ରସଙ୍ଗଗୁଡ଼ିକ ଉପରେ ଏକ ଏଜେଣ୍ଡା ପ୍ରସ୍ତୁତ କରିବାକୁ ମଧ୍ୟ ଆଲୋଚନା ଚାଲିଛି। ଏହା ବ୍ୟତୀତ ଭାରତ-ଆମେରିକା ସମ୍ପର୍କକୁ କିପରି ମଜବୁତ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ।

ନୂଆଦିଲ୍ଲୀରେ ଅନୁଷ୍ଠିତ ପଞ୍ଚମ ‘ଟୁ ପ୍ଲସ୍ ଟୁ’ ବୈଠକ ପରେ ଦୁଇ ଦେଶର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆମେରିକାର ପ୍ରତିପକ୍ଷ ଲୋୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜନାଥ ଏବଂ ଲୋୟଡ ଅଷ୍ଟିନ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଉପରେ କଥାବାର୍ତ୍ତା କରିପାରନ୍ତି। ସେହିପରି ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ପ୍ରସଙ୍ଗ ମୂଳ ମୁଦ୍ଦା ରହିପାରେ।

 

 

Leave a Reply

Your email address will not be published. Required fields are marked *