Spread the love

ମୁମ୍ବାଇ : ଆରବ ସାଗରରେ ୩ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ୫ ପାକିସ୍ତାନୀ ଅଟକ ରହିଛନ୍ତି । ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏକ ଇରାନୀ ନୌକାରୁ ୫୨୬ କିଲୋଗ୍ରାମ ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ଜବତ କରାଯାଇଛି । ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଇଛି । ନୌକାରେ ଥିବା ୫ ଜଣ ପାକିସ୍ତାନୀ କ୍ରୁ ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ଗୁଜରାଟ ଆଣ୍ଟି ଟେରରିଜମ୍ ସ୍କ୍ୱାଡ୍ (ATS)ର ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଏହି ଅପରେସନ୍ ଆରମ୍ଭ କରିଥିଲା । ଗତ ୨୫ ତାରିଖରେ ଲାକ୍ଷାଦ୍ୱୀପର ପଶ୍ଚିମ ଦିଗରେ ସନ୍ଦିଗ୍ଧ ନୌକାକୁ ଠାବ କରାଯାଇଥିଲା । ସମୁଦ୍ର ଓ ଆକାଶପଥରୁ ନୌକାର ଗତିବିଧି ଉପରେ ନଜର ରଖିବା ପରେ ତଟରକ୍ଷୀ ବାହିନୀ ଏହାକୁ ଅଟକାଇଥିଲା । ନୌକାର ତଲାସି ବେଳେ ବିପୁଳ ପରିମାଣର ହେରୋଇନ୍ ଓ ମେଥାମ୍ଫେଟାମାଇନ୍ ମିଳିଥିଲା ।

ମୋଟ ୫୨୬ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଅଟକ ଇରାନୀ ନୌକାରେ ୫ ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ଥିଲେ । ସମସ୍ତଙ୍କୁ ଅଟକ ରଖାଯିବା ସହ ନୌକା ଓ ଜବତ ନିଶାଦ୍ରବ୍ୟକୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ଅଣାଯାଇଛି । ମୁମ୍ବାଇରେ ବର୍ତ୍ତମାନ କୋଷ୍ଟଗାର୍ଡ, NCB, NIA, ଗୁଜୁରାଟ ATS ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମିଳିତ ଭାବେ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି । ଏତେ ବଡ଼ ଡ୍ରଗ୍ସ ଖେପ କେଉଁଠୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହା ପଛରେ କେଉଁ ଅନ୍ତର୍ଜାତୀୟ ନେଟୱର୍କ କାମ କରୁଥିଲା, ସେନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *