
ଏହି ସମୟରେ ସମ୍ୱଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ଆଇଜି ଡକ୍ଟର ଦୀପକ କୁମାର, ଏସପି ମୁକେଶ ଭାମୁ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ସେ ମା ସମଲେଇଙ୍କ ପୂଜାର୍ଚ୍ଚନା କରି ଭୋର୍ ୪ ଟା ରୁ ୬ ଟା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳ ବୁଲି କାମର ଅଗ୍ରଗତି ସମୀକ୍ଷା କରିଥିଲେ। ସମୀକ୍ଷାରେ ଭକ୍ତମାନଙ୍କ ପାଇଁ ସବୁ ସୁବିଧାର ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଯାତ୍ରୀଙ୍କ ସୁବିଧା ପାଇଁ ଫାର୍ଷ୍ଟ ଏଡ୍ ଓ ଅନ୍ୟ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ।
ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଡ଼ିକୁ ଜଲଦି ଆଗେଇ ନେବା ପାଇଁ ଅଧିକ ମେସିନ ଓ ମାନବ ସମ୍ବଳ ବ୍ୟବହାର କରି ଫୁଟ ଓଭର ବ୍ରିଜ, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂ କାମ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ବାକି ରହି ଯାଇଥିବା ବିଭିନ୍ନ ଷ୍ଟ୍ରକଚରକୁ ୧୦ ଦିନ ମଧ୍ୟରେ ସଫା କରି କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଐତିହ୍ୟ କରିଡ଼ର ଓ ମନ୍ଦିର ଚାରି ପାଖେ ପଥର ବିଛେଇବା କାମକୁ ଶୀଘ୍ର ସରିବା, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ଥାନୀୟ ବୃକ୍ଷଲତାର ବ୍ୟବହାର ଓ ସ୍ଥାନୀୟ ସଂସ୍କୃତିକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ମନ୍ଦିର ଭିତରେ ନିର୍ମାଣ ହେଉଥିବା ବିଭିନ୍ନ କାମ, କ୍ଲକ୍ ଟାୱାର, ଓ ଲାମ୍ପ ରୁମ୍ କାମର ସୋନ୍ଦର୍ଯ୍ୟ କରଣ ଉପରେ ଶ୍ରୀ ପଣ୍ଡିଆନ ଗୁରୁତ୍ଵ ଦେଇଥିଲେ।
ଦୁଇ ନମ୍ବର ଐତିହ୍ୟ ଗେଟ, ପାର୍କିଂ, ଐତିହ୍ୟ କରିଡ଼ରର ବାହାର ପଟରେ ପଥର ବିଛାଇବା କାମ ଜଲଦି ସରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପାନୀୟ ଜଳ ସୁବିଧା, ଟଏଲେଟ୍, ସିସିଟିଭି, ଓ ଆଲୋକିକରଣ କାମ ମଧ୍ୟ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ।