Spread the love

ରାଞ୍ଚି: ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ର ଆନ୍ଦୋଳନ ଜାରି ରହିଥିବାବେଳେ ଝାଡଖଣ୍ଡ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଚାଲିଥିବା ଅପରାଧ ତଦନ୍ତ ବିଭାଗ (ସିଆଇଡି) ତଦନ୍ତର ତଥ୍ୟ ଆଧାରରେ ଜେପିଏସ୍‌ସି ଓ ଜେଏସ୍‌ଏସ୍‌ସି ଦ୍ୱାରା କରାଯାଇଥିବା ମୋଟ ୨୨ଟି ନିଯୁକ୍ତି ପରୀକ୍ଷା ବାତିଲ କରାଯାଇଛି। ମଙ୍ଗଳବାର ବିଳମ୍ବିତ ସମୟରେ ରାଜ୍ୟ କାର୍ମିକ ବିଭାଗ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛି।

ସୋମବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ବତନ୍ତ୍ର କ୍ୟାବିନେଟ୍‌ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ୨୦୧୪ରୁ ଏପର୍ଯ୍ୟନ୍ତ ହୋଇଥିବା ଆଉ ୧୭ଟି ପରୀକ୍ଷାକୁ ମଧ୍ୟ ତଦନ୍ତ ପରିସରକୁ ଆଣିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଓ ଅନିୟମିତତା ଅଭିଯୋଗର ଯାଞ୍ଚ ପାଇଁ ସିଆଇଡି ତଦନ୍ତ ଚାଲିଛି। ଏହି ପଦକ୍ଷେପରେ ଜେଏସ୍‌ଏସ୍‌ସିର କମ୍ବାଇଣ୍ଡ୍ ଗ୍ରାଜୁଏଟ୍‌ ଲେଭଲ୍‌ ବା ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷା ମଧ୍ୟ ସାମିଲ ଅଛି। ଏହାଛଡ଼ା ଟିଏସ୍‌ଆର୍‌ ଡାଟା ପ୍ରୋସେସିଂ ପ୍ରାଇଭେଟ୍‌ ଲିମିଟେଡ୍‌ (ଟିଡିପିଏଲ୍‌) ନାମକ ଘରୋଇ ସଂସ୍ଥା ଦ୍ୱାରା ୨୦୧୪ରୁ କରାଯାଇଥିବା ପରୀକ୍ଷାଗୁଡ଼ିକୁ ମଧ୍ୟ ସରକାର ବାତିଲ କରିଛନ୍ତି। ଏଥିରେ ବିଶ୍ବବିଦ୍ୟାଳୟର ଅଣ-ଶିକ୍ଷକ ପଦ ପାଇଁ ହୋଇଥିବା ପରୀକ୍ଷା ଏବଂ ଝାଡ଼ଖଣ୍ଡ କମ୍ବାଇଣ୍ଡ୍ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା-୨୦୨୫ର ନିୟମିତ ଓ ବ୍ୟାକଲଗ୍‌ ପରୀକ୍ଷା ମଧ୍ୟ ରହିଛି।

ତେବେ ସରକାରଙ୍କ ନିଷ୍ପତ୍ତି ପରେ ନୂଆ ସମସ୍ୟା ଦେଖାଦେଇଛି। ବାତିଲ ହୋଇଥିବା ଜେଏସ୍‌ଏସ୍‌ସି-ସିଜିଏଲ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇଥିବା ପ୍ରାୟ ୧,୯୫୦ ଜଣଙ୍କ ସମେତ ୨,୬୦୦ରୁ ଅଧିକ ନିଯୁକ୍ତ କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତ ହୋଇପଡ଼ିଛି। ଏମାନଙ୍କ ମଧ୍ୟରେ ସିଭିଲ୍‌ ସର୍ଭିସ୍‌, ଫରେଷ୍ଟ ରେଞ୍ଜ୍‌ ଅଫିସର, ଶିଶୁ ବିକାଶ ଅଧିକାରୀ ଓ ଖାଦ୍ୟ ଯୋଗାଣ ଅଧିକାରୀ ଭଳି ପଦରେ ନିଯୁକ୍ତ ଲୋକ ଅଛନ୍ତି। ଅଧିକାଂଶ ଏବେ ଚାକିରିର ପ୍ରୋବେସନ୍‌ ପର୍ଯ୍ୟାୟରେ ଅଛନ୍ତି। ଅନ୍ୟପଟେ, ଛାତ୍ରମାନଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀମାନେ ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ)ର ତଦନ୍ତ ଦାବି କରୁଛନ୍ତି। ସରକାର ଜେଏସ୍‌ଏସ୍‌ସି-ସିଜିଏଲ୍‌ ସହ ଅନେକ ପରୀକ୍ଷା ବାତିଲ କରି ଆନ୍ଦୋଳନକାରୀଙ୍କ ଏକ ପ୍ରମୁଖ ଦାବି ମାନିଥିଲେ ମଧ୍ୟ, ଏହି ନିଷ୍ପତ୍ତିକୁ ନେଇ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ପୃଥକ୍‌ ଭାବେ ପ୍ରତିବାଦ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *