
ଏହାଦ୍ବାରା ଅନେକ ରୋଗୀଙ୍କର ମୃତ୍ୟୁ ହୋଇଯିବ ବୋଲି କୁହାଯାଉଛି। ଇସ୍ରାଏଲୀ ସେନା ଦ୍ବାରା ଗାଜାରେ ସ୍ଥଳ ଅଭିଯାନର କିଛି ଫଟୋ ଜାରି ହୋଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଇସ୍ରାଏଲୀ ସେନା ମୁତୟନ ହୋଇଛନ୍ତି ସେନେଇ ଇସ୍ରାଏଲ ସେନା କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷେ ଇସ୍ରାଏଲ ଲେବାନନ୍ରେ ହେଜବୋଲ୍ଲା ଆଡ଼ା ଏବଂ ସିରିୟାରେ ଘନ ଘନ ବିସ୍ଫୋରଣ କରିଛି। ହେଜବୋଲ୍ଲା ମଧ୍ୟ ଲେବାନନ୍ ସୀମା ନିକଟରେ ଇସ୍ରାଏଲର ଏକ ଡ୍ରୋନ୍କୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ଦାବି କରିଛି। ହମାସ୍ ଆତଙ୍କବାଦୀ ଗୋଷ୍ଠୀ କହିଛି ଏହାର ସେନା ସଦସ୍ୟ ଗାଜାରେ ଇସ୍ରାଏଲୀ ସୈନିକଙ୍କ ସହ ଜୋରଦାର ଲଢ଼େଇ ଜାରି ରଖିଛନ୍ତି। ତେବେ ଇସ୍ରାଏଲ ଆକ୍ରମଣରେ ନାଗରିକଙ୍କ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଆମେରିକା ନାଗରିକଙ୍କ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ଇସ୍ରାଏଲକୁ ଅନୁରୋଧ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇ ନାଗରିକଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରିଛନ୍ତି। ଗାଜାରେ ଇସ୍ରାଏଲର ସ୍ଥଳ ଅଭିଯାନ ସଂକ୍ରାନ୍ତରେ ଆଜି ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଛି। ଯୁଦ୍ଧ ବଢ଼ିବାରେ ଲାଗିଥିବାବେଳେ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଇସ୍ରାଏଲୀ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କିନ୍ତୁ ଇସ୍ରାଏଲ ସେନା ଏହା ଆଶ୍ବସ୍ତ କରିଛି ଯେ ଯୁଦ୍ଧ ଦ୍ବାରା ହମାସ୍କୁ ଧ୍ବଂସ କରାଯିବ ଏବଂ ଏଥିସହ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ।
ଜାତିସଂଘ ଭୋଟ୍ରୁ ଭାରତ ବିରତ ରହିବାରୁ ସୋନିଆଙ୍କ ନିନ୍ଦା
ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ଭୋଟ୍ ଉପରେ ଭାରତର ଆଭିମୁଖ୍ୟକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିନ୍ଦା କରିବା ସହ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ବର୍ଷ ବର୍ଷ ଧରି ସ୍ଥିର ରହିଛି ବୋଲି କହିଛନ୍ତି। ‘ଦ ହିନ୍ଦୁ’ର ଏକ ସମ୍ପାଦକୀୟରେ ସୋନିଆ ଲେଖିଛନ୍ତି, କଂଗ୍ରେସର ଆଭିମୁଖ୍ୟ ଦୀର୍ଘଦିନ ଧରି ସମାନ ରହିଛି। ସୋନିଆ ଲେଖିଛନ୍ତି, ଅକ୍ଟୋବର ୧୨ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। କିନ୍ତୁ ଇସ୍ରାଏଲ ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ବିବୃତିରେ ପାଲେଷ୍ଟାଇନର ଅଧିକାର ବିଷୟରେ କୌଣସି ଉଲ୍ଲେଖ କରିନଥିଲେ ବୋଲି ସୋନିଆ ଲେଖିଛନ୍ତି। ଏହାର ଶୀର୍ଷକ ‘ଏ ୱାର୍ ହ୍ବେୟାର ହ୍ୟୁମାନିଟି ଇଜ୍ ଅନ୍ ଟ୍ରାଏଲ ନାଓ’ ରହିଛି।