
ଏହି କ୍ରମରେ ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ଅଳଙ୍କାର ବ୍ୟବସାୟୀ ତଥା ପାନୱାର ବାସିନ୍ଦା ଦୀପେଶ ସୋନିଙ୍କୁ ଟିକେଟ୍ ଦେଇଥିଲା। ତେବେ ଖବର ମିଳିଛି କି ନିର୍ବାଚନ ପୂର୍ବରୁ ଏକ ପୁରୁଣା ମାମଲାକୁ କେନ୍ଦ୍ରକରି ତେଲେଙ୍ଗାନା ପୁଲିସ ଦୀପେଶ ସୋନିଙ୍କୁ ଗିରଫ କରି ନେଇଛି। ଏହି ଘଟଣା ପରେ ଆପ ଉପରେ ଚଡ଼କ ପଡ଼ିଥିବା କୁହାଯାଉଛି।
ପୁଲିସ ସୂତ୍ରରୁ ପ୍ରକାଶ, ଅଳଙ୍କାର ବ୍ୟବସାୟୀ ଦୀପେଶ ସୋନି ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୋଗକୁ କେନ୍ଦ୍ର କରି ଗତ ଶନିବାର ଏକ ମାମଲା ରୁଜୁ ହୋଇଥିଲା। ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୨୦ ଏବଂ ୪୦୬ ଅଧୀନରେ ଦୀପେଶଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ଦୀପେଶ ଅକ୍ଟୋବର ୨୬ରେ ହାଇଦ୍ରାବାଦ ଯାଇଥିଲେ। ଏହାପରେ ଦୀପେଶଙ୍କ ସହ ପରିବାରଲୋକଙ୍କ କୌଣସି ଯୋଗାଯୋଗ ହୋଇପାରି ନଥିଲା। ତେଣୁ ପରିବାର ଲୋକେ ରାଜସ୍ଥାନର ପନଓ୍ୱାଡା ଥାନାରେ ଦୀପେଶଙ୍କ ନିଖୋଜ ଥିବା ନେଇ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସର ଏକ ଟିମ୍ ହାଇଦ୍ରାବାଦ ଯାଇ ତାଙ୍କୁ ଖୋଜାଖୋଜି କରିଥିଲା। ସେଠାରେ ତାଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରି ନେଇଥିବା ଜଣାପଡିଥିଲା।