
ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ମେ’ ୨୬ରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ଆପେଲୋ ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କ ମେରୁଦଣ୍ଡ ଅପରେସନ୍ କରାଯାଇଥିଲା। ସେବେଠାରୁ ସେ ଲଗାତର ଜାମିନରେ ଅଛନ୍ତି।
ମନି ଲଣ୍ଡରିଂ ଅଭିଯୋଗରେ ଗତ ବର୍ଷ ମେ’ ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିଥିଲା। ୨୦୧୭ ଅଗଷ୍ଟ ୨୪ରେ, ଦୁର୍ନୀତି ନିବାରଣ ଆଇନ ୧୯୮୮ର ବିଭିନ୍ନ ବିଭାଗ ଅଧୀନରେ ସତ୍ୟେନ୍ଦ୍ର ଜୈନ, ପୁନମ ଜୈନ, ଅଜିତ ପ୍ରସାଦ ଜୈନ, ସୁନୀଲ କୁମାର ଜୈନ, ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ବିରୋଧରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା। ଏହି ଏଫ୍ଆଇଆର୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ରଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଆରମ୍ଭ କରିଥିଲା।