
ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ ପରେ ଯାତାୟାତକୁ ସୁବିଧା କରିବା ଉଦ୍ଦେଶ୍ୟରେ ଖାନ୍ନଗରଠାରୁ ପ୍ରେସ୍ ଛକ ପର୍ଯ୍ୟନ୍ତ ରିଂରୋଡକୁ ୬ଟିକିଆ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାସ୍ତା ପ୍ରଶସ୍ତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ମଲାଚଣ୍ଡିଆ ଛକଠାରୁ ପ୍ରେସ୍ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଶହ ଶହ ବର୍ଷର ପୁରୁଣା ଗଛଗୁଡ଼ିକୁ କଟାଯାଉଛି। ଏହାକୁ ନେଇ କେବଳ ବାଟୋଇ ନୁହନ୍ତି ଅଞ୍ଚଳବାସୀ ବି ଚିନ୍ତାରେ ପଡ଼ିଯାଇଛନ୍ତି। ଖାନ୍ନଗରଠାରୁ ପ୍ରେସ୍ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୧୫୦୦ ଗଛ କଟାଯିବାକୁ ଚିହ୍ନ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପ୍ରାୟ ୭୦୦ରୁ ୮୦୦ ଗଛ କଟା ସରିଲାଣି। ଏପରିକି ନଦୀପାର୍ଶ୍ୱ ଓ ରାସ୍ତା ଡିଭାଇଡରରେ ଥିବା ଛୋଟଠାରୁ ଆରମ୍ଭ କରି ବିଶାଳକାୟ ଗଛକୁ କାଟି ସଫା କରିଦିଆଯାଇଛି। ଅପରପକ୍ଷେ ୧୯୮୪ରେ ତତ୍କାଳୀନ ସରକାର କାଠଯୋଡ଼ି ରିଙ୍ଗବନ୍ଧର ପୁନରୁଦ୍ଧାର ପାଇଁ ନାଲିମାଟିର ବନ୍ଧକୁ ଆହୁରି ମଜଭୁତ କରିବାକୁ ପଦକ୍ଷେପ ନେଇଥିଲେ।
ପ୍ରଥମ ପର୍ଯ୍ୟାୟରେ ପ୍ରେସ୍ ଛକଠାରୁ ଖାନନଗର ଶ୍ମଶାନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଖାନନଗର ଶ୍ମଶାନରୁ ପୁରୀଘାଟ ପର୍ଯ୍ୟନ୍ତ ପଥର ବନ୍ଧେଇ କାର୍ଯ୍ୟ କରାଯାଇଥିଲା। ଏହାପରେ ବିଭିନ୍ନ ସମୟରେ ବନ୍ଧକୁ ମଜଭୁତ କରିବାକୁ ବନ୍ଧପାର୍ଶ୍ୱରେ ଗଛ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ଧକୁ ମଜଭୁତ କରିବାକୁ ସରକାର ପଦକ୍ଷେପ ନେଇଥିଲେ। ହେଲେ ଏବେ ଶତାଧିକ ଗଛ କଟାଯିବା ଫଳରେ ବନ୍ଧ ଏବଂ ପରିବେଶ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପରିବେଶବିତ୍ ଆଶୁତୋଷ ଦେବତାଙ୍କ କହିବା ଅନୁଯାୟୀ ଗଛ ଚେର ମାଟିକୁ ଜାବୁଡ଼ି ଧରୁଥିବାରୁ ମାଟି ଖସିବାକୁ ଦିଏନାହିଁ। ଏଥିପାଇଁ ବନ୍ଧକୁ ସୁରକ୍ଷା ଓ ମଜଭୁତ କରିବାରେ ଗଛର ଭୂମିକା ଅଧିକ ରହିଛି। ସେହିପରି ପରିବେଶରେ ସନ୍ତୁଳନ ବଜାୟ ରଖିବା ପାଇଁ ଯେତିକି ଗଛ କଟାଯିବ ତାର ପାଞ୍ଚଗୁଣା ବଡ଼ ୫ ଫୁଟିଆ ଗଛ ବିଭିନ୍ନ ଫାଙ୍କାସ୍ଥାନରେ ରୋପଣ କରାଯିବା ଉଚିତ୍।
କଟକ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପରେ ରିଂରୋଡକୁ ୬ ଟିକିଆ କରିବା ପାଇଁ ଘୋଷଣା ହୋଇଥିଲା। ସମ୍ପ୍ରତି ନଦୀ ପଠା ପୋତାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ବେଧଡକ ଚାଲିଥିବା ଗଛ କଟା ସ୍ଥାନୀୟ ଅଞ୍ଚଳର ରୂପ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଗଛ କାଟି କଂକ୍ରିଟ ରାସ୍ତା ତିଆରି କରାଯାଉଛି, ହେଲେ ଗଛଟିଏ ଲଗାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଉମାକାନ୍ତ ସାହୁ କହିଛନ୍ତି, ସହର ମଧ୍ୟରେ ଗାଡି ମୋଟର କେଁ କଟର ଶବ୍ଦରୁ ଏହି ରାସ୍ତା ଦେଇ ଗଲେ ଶାନ୍ତି ଅନୁଭବ ହେଉଥିଲା। କାରଣ କାଠଯୋଡି ନଦୀ ସହ ରାସ୍ତାଟି ସବୁଜିମା ଭରି ରହିଥିଲା। ହେଲେ ବର୍ତ୍ତମାନ ୧୫ ଦିନ ମଧ୍ୟରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସେହିପରି ରାମ ଚନ୍ଦ୍ର ସାହୁ କହିଛନ୍ତି, ପିଲାବେଳୁ ଏହି ଅଞ୍ଚଳରେ ଅଛୁ। ରିଂ ବନ୍ଧ ନିର୍ମାଣ ଠାରୁ ବହୁ ଉନ୍ନତୀକରଣ ଦେଖି ଆସୁଛି। ହେଲେ ପୂର୍ବରୁ ଉନ୍ନତୀକରଣ ନାମରେ ଏପରି ଗଛ କାଟିବା ଦେଖି ନ ଥିଲି। ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଗଛ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ବୃଦ୍ଧି ସହ ସବୁଜିମାରେ ପରିଣତ କରିଥିଲା। ହେଲେ ବର୍ତ୍ତମାନ ଶୁଷ୍କ ଅଞ୍ଚଳ ଭଳି ଦେଖାଯାଉଛି।
ଏନେଇ ସିଏମ୍ସି ମେୟର ସୁବାସ ସିଂ କହିଛନ୍ତି, କଟାଯାଉଥିବା ଗଛର ବିକଳ୍ପରେ ୧୦୦ ଗୁଣ ଅଧିକ ଗଛ ଲଗାଇବା ଯୋଜନା କରାଯାଇଛି। ସେହିପରି ବନ୍ଧର ସୁରକ୍ଷା ପାଇଁ କମ୍ରୁ କମ୍ ଚାପ ଦେଇ କାର୍ଯ୍ୟ କରାଯାଉଛି। ପିଲର ଦେଇ ବ୍ରିଜ ନିର୍ମାଣ କରାଯିବ। ଯେପରି ବନ୍ଧ ଉପରେ କୌଣସି ଚାପ ପଡିବ ନାହିଁ ତାହାକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ବନ୍ଧକୁ ଅଧିକ ସୁରକ୍ଷିତ କରିବା ପାଇଁ ଜିଲାପାଳ କାର୍ଯ୍ୟାଳୟ ନିକଟରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି।