ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ ପ୍ରଥମ ଥର ସାର୍ବଜନୀନ ଭାବେ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ଜଣ ସହିଦଙ୍କ ନାଁ ବିଧିବଦ୍ଧ ଭାବେ ସାର୍ବଜନୀନ କରାଯାଇଛି । ୬ ସହିଦ ବୀରଙ୍କ ନାଁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀର ରୋଲ୍ ଅଫ୍ ଅନରରେ ସ୍ଥାନ ପାଇଛି ।
୬ ଜଣ ବୀର ସହିଦ ହେଉଛନ୍ତି ସୁବେଦାର ମେଜର ପବନ କୁମାର, ରାଇଫଲମ୍ୟାନ୍ ସୁନୀଲ କୁମାର, ଲାନ୍ସ ନାୟକ ଦିନେଶ କୁମାର, ଅଗ୍ନିବୀର ଏମ. ମୁରଲୀ ନାୟକ, ହାବିଲଦାର ସୁନୀଲ କୁମାର ସିଂ ଓ ସର୍ଜେଣ୍ଟ ସୁରେନ୍ଦ୍ର କୁମାର । ୨୦୨୫ ମେରେ ଭାରତୀୟ ସେନାର ଅପରେସନ ସିନ୍ଦୂରରେ ମୃତାହତଙ୍କ ସଂଖ୍ୟାକୁ ନେଇ ପୂର୍ବରୁ କେବଳ ଚର୍ଚ୍ଚା ଲାଗି ରହିଥିଲା । ଯୁଦ୍ଧ ସ୍ମାରକୀରେ ନାମ ଖୋଦିତ ହେବା ପରେ ସରକାର ପ୍ରଥମ ଥର ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛନ୍ତି ।
ଏହି ଅପରେସନରେ ଅସାଧାରଣ ବୀରତ୍ୱ ପାଇଁ ରାଇଫଲମ୍ୟାନ୍ ସୁନୀଲ କୁମାରଙ୍କୁ ମରଣୋତ୍ତର ଭାବେ ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ‘ବୀର ଚକ୍ର’ ଏବଂ ସର୍ଜେଣ୍ଟ ସୁରେନ୍ଦ୍ର କୁମାରଙ୍କୁ ‘ବାୟୁ ସେନା ମେଡାଲ’ ରେ ସମ୍ମାନିତ କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ପାକିସ୍ତାନ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ ଗୁଡ଼ିକୁ ଧ୍ୱଂସ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ୪ ଦିନ ଧରି ଚାଲିଥିବା ସଂଘର୍ଷରେ ସେନାର ଯବାନଙ୍କ ହତାହତ ଖବରକୁ ନେଇ ଚର୍ଚ୍ଚା ଚାଲିଥିଲା । ଏବେ ସରକାର ଅଫିସିଆଲ ଭାବେ ଖୁଲାସା କରିଛନ୍ତି ।
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ମଇ ୭ ତାରିଖ ୨୦୨୫ ସକାଳେ ଆରମ୍ଭ ହୋଇଥିଲା । ୨୨ ଏପ୍ରିଲରେ ପହଲଗାମ ଆତଙ୍କୀ ଆକ୍ରମଣର ଦୁଇସପ୍ତାହ ପରେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ଏହି ଆକ୍ରମଣରେ ୨୬ ଜଣ ନୀରିହ ନାଗରିକ ପ୍ରାଣ ହରାଇଥିଲେ । ଏହାପରେ ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।