
ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା(ବଳିଆ) ୨୦୨୨-୨୩ ଆର୍ଥିକ ବର୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଣାକାରଙ୍କ ନିମନ୍ତେ ଘୋଷଣା କରାଯାଇଥିବା ସ୍ବତନ୍ତ୍ର ପ୍ୟାକେଜ ଅନୁଯାୟୀ ପ୍ରଣୟନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ୧୮-୭୦ ବର୍ଷ ମଧ୍ୟରେ ସମସ୍ତ ବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।
ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ, ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ସହିତ ନିଜର ଉତ୍ପାଦନ ବିପଣନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବୁଣାକାରର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାରେ ବୃଦ୍ଧି ଆଣିବା ଦରକାର ପଡୁଥିଲା ଏବଂ ଏଥିପାଇଁ ୫୦ ହଜାର ଟଙ୍କା ଯଥେଷ୍ଟ ହେଉ ନ ଥିଲା। ତେଣୁ ଋଣ ରାଶିକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଏହି ଯୋଜନାର ନିମାନୁଯାୟୀ ବୁଣାକାରମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀ ପୁଞ୍ଜି ବିନା ସୁଧରେ ଋଣ ଆକାରରେ ବ୍ୟାଙ୍କରୁ ପାଇପାରିବେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ଦ୍ୱାରା ହିତାଧିକାରୀଙ୍କ ଆୟ ଏବଂ ଜୀବନଧାରଣ ମାନ ବୃଦ୍ଧି ପାଇବ।