Spread the love

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ହୋଇପାରନ୍ତି ବିରୋଧୀ ମେଣ୍ଟ ‘INDIA’ର ସଂଯୋଜକ। ମେଣ୍ଟ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମୁମ୍ବାଇରେ ହେବାକୁ ଥିବା ବୈଠକରେ INDIA ମେଣ୍ଟର ସଂଯୋଜକ ରୂପେ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଘୋଷଣା ହୋଇପାରେ।

ମେଣ୍ଟରେ ସାମିଲ ଥିବା ଦଳଗୁଡ଼ିକ ଆଗାମୀ ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଛନ୍ତି। ସୂତ୍ର ଅନୁସାରେ, ଖଡ୍‌ଗେ ଜଣେ ଦଳିତ ଚେହେରା ସହିତ ବରିଷ୍ଠ ନେତା ହୋଇଥିବାରୁ ସେ ଏହାର ନେତୃତ୍ୱ ନେଇପାରିବେ। ଏହାସହ ତାଙ୍କର ଦୀର୍ଘ ରାଜନୈତିକ ଅନୁଭବ ରହିଛି।

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ସଂଯୋଜକ କରାଯିବାକୁ ନେଇ ଅଟକଳ ରହିଛି। ହେଲେ ନୀତୀଶ କୁମାର ଅନେକ ଥର ମନା କରି ସାରିଛନ୍ତି ଯେ ସେ କିଛି ବି ଚାହାଁନ୍ତି ନାହିଁ। ସେ ସୋମବାର କହିଥିଲେ କି, ମୋର କିଛି ଦରକାର ନାହିଁ। ମୁଁ କେବଳ ଲୋକମାନଙ୍କୁ ଏକତ୍ର କରିବାକୁ ଚାହୁଁଛି।

ମଙ୍ଗଳବାର ନୀତୀଶ କୁମାର କହିଛନ୍ତି, ‘ଆମେ ମୁମ୍ବାଇ ଯାଉଛୁ। ଦେଶର ସର୍ବାଧିକ ବିରୋଧୀ ଦଳକୁ ଏକତ୍ର କରିବାର ଦାୟିତ୍ୱ ମୋର। ବ୍ୟକ୍ତିଗତ ଭାବେ ମୁଁ କୌଣସି ପଦବୀ ପାଇଁ ଆଗ୍ରହୀ ନାହିଁ। ମୁଁ କାଲି ମଧ୍ୟ ଏହା କହିଥିଲି ଏବଂ ଆଜି ବି ଏହା ଦୋହରାଉଛି।

କହି ରଖୁଛୁ, ମୁମ୍ବାଇରେ ହେବାକୁ ଥିବା ବିରୋଧ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ୧୧ ସଦସ୍ୟ ବିଶିଷ୍ଟ ସମନ୍ଵୟ ସମିତି ଘୋଷଣା ହୋଇପାରେ। କିଛି ଦିନ ତଳେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ସୂଚନା ଦେଇଥିଲେ ଯେ ଏହି ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇଦିନ ଧରି ଚାଲିବ।

Leave a Reply

Your email address will not be published. Required fields are marked *