
ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟାେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୯ବର୍ଷ ମଧ୍ୟରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଟିକସର ଅଂଶଭାଗ, ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ ଏବଂ ସାମାଜିକ କ୍ଷେତ୍ର ଯୋଜନାରେ ଆର୍ଥିକ ସହାୟତା ପୂର୍ବବତୀ ଉପା ସରକାର ତୁଳନାରେ ପ୍ରାୟ ୯ଗୁଣ ବୃଦ୍ଧି ପାଇଛି । ତଥାପି ଓଡ଼ିଶାର ଦାରିଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ନାରୀ ଓ ଜନଜାତୀର ସୁରକ୍ଷା, କୃଷି, ନିଯୁକ୍ତି ଇତ୍ୟାଦିରେ ସ୍ଥିତି ଦୟନୀୟ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତା ପଣ୍ଡା ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର ୬୫୪କୋଟି ଟଙ୍କାର ସହାୟତା ମିଳିଥିବାବେଳେ ପୂର୍ବବତୀ ଉପା ସରକାରର ୯ବର୍ଷ ଶାସନ କାଳରେ ତାର ପରିମାଣ ଥିଲା ମାତ୍ର ୨ଲକ୍ଷ ୬୩ହଜାର୨୪୩କୋଟି ଟଙ୍କା । ଅନୁଦାନର ଏହି ବିଶାଳ ଅଭିବୃଦ୍ଧି ସତ୍ୱେ ଆଜିବି ରାଜ୍ୟର ଗର୍ଭବତୀ ମହିଳା ଖଟିଆରେ ହସ୍ପିଟାଲ ଯାଉଛନ୍ତି । ଲକ୍ଷ ଲକ୍ଷ ଯୁବକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଓ ଜୁଲୁମୁର ଶିକାର ହୋଇ ପ୍ରାଣ ହରାଉଛନ୍ତି ।
ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି କିଭଳି ଫମ୍ଫା ଆବାଜ ପାଲଟିଛି ତାହାର ଉଦାହରଣ ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଏନସିଆରବି ରିପୋର୍ଟ ଅନୁଯାୟୀ, ଗତ ୩ବର୍ଷରେ ଓଡ଼ିଶାର ୭୦,୨୨୨ଜଣ ମହିଳା ଓ ୧୬,୬୪୯ ଝିଅ ନିଖୋଜ ହୋଇଛନ୍ତି । ରାଜ୍ୟର ୬ ରୁ ୫୯ମାସ ଶିଶୁଙ୍କ ଭିତରେ ୪୨.୩ପ୍ରତିଶତ ରକ୍ତହୀନତାର ଶିକାର । ସେହିପରି ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮ପ୍ରତିଶତ, ୧୦-୧୯ବର୍ଷ ଝିଅଙ୍କ ମଧ୍ୟରେ ୫୯.୭ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ମଧ୍ୟରେ ୬୨.୭ପ୍ରତିଶତ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ଭିତରେ ୬୮.୬ପ୍ରତିଶତ ରକ୍ତହୀନତା ବ୍ୟାଧିରେ ଆକ୍ରାନ୍ତ । ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍ ।
ସେହିପରି ମିଶନଶକ୍ତି ଯୋଜନାରେ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭିତରୁ ପ୍ରାୟ ୯୨ପ୍ରତିଶତ କୌଣସି ଋଣ ବା ସରକାରୀ ପ୍ରୋତ୍ସାହନ ପାଇବାରୁ ବଂଚିତ ହୋଇଛନ୍ତି । ଏହି ମିଶନଶକ୍ତି ଯୋଜନା ରାଜ୍ୟର କେତେ ଜଣ ମହିଳାଙ୍କୁ ଆୟକର ଦେବା ଯୋଗ୍ୟ କରିପାରିଛି ତାହାର ହିସାବ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ଅନ୍ୟପକ୍ଷରେ ଲାଲକିଲା ପ୍ରାଚୀର ଉପରୁ ଗତ ସ୍ୱାଧିନତା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି “୨କୋଟି ଲକ୍ଷପତି ମହିଳା” ସୃଷ୍ଟିର ଉଦ୍ଘୋଷଣା କରିଛନ୍ତି । ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଡିଶାରେ ଖୋଲା ଯାଇଥିବା ମୋଟ୍ ୧କୋଟି ୯୯ଲକ୍ଷରୁ ଅଧିକ ଜନଧନ ଖାତା ମଧ୍ୟରୁ କେବଳ ମହିଳାଙ୍କ ଖାତା ସଂଖ୍ୟା ୧କୋଟି ୧୨ଲକ୍ଷରୁ ଅଧିକ । ଏଥିରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଯେ କେବଳ ପ୍ରଚାରରେ ସୀମାବଦ୍ଧ ନୁହେଁ ତାହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
Post Views: 6