ଉତ୍ତରପ୍ରଦେଶ: ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମିଳିଛନ୍ତି । ସୂତ୍ର ଅନୁସାରେ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ଲାଗିଛି । ଟ୍ରଷ୍ଟର ପ୍ରେସ୍ ସମ୍ମଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ତାଙ୍କ ନିଯୁକ୍ତି ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ CEO ପଦବୀରେ ରହିବେ ।
ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ ୩୮ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସେ ଫାଇଟର୍ ଜେଟ୍ ପାଇଲଟ୍, କମ୍ବାଟ୍ ଇନ୍ଷ୍ଟ୍ରକ୍ଟର୍ ଏବଂ ଟେଷ୍ଟ ପାଇଲଟ୍ ଭାବେ କାର୍ଯ୍ୟ କରିଛନ୍ତି । ଏହାରି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର CEO ପଦ ପାଇଁ ୫,୫୦୦ରୁ ଅଧିକ ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୮ ଜଣଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ଖାଦ୍ୟପାନୀୟ, ଜୀବନଶୈଳୀ ଏବଂ ହିନ୍ଦୁ ଧର୍ମ ସହ ଜଡ଼ିତ ବିଭିନ୍ନ ମାନ୍ୟତାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା । ରାମ ମନ୍ଦିରର CEOଙ୍କ ସବୁଠାରୁ ବଡ଼ ଦାୟିତ୍ୱ ହେବ ମନ୍ଦିରର ପ୍ରଶାସନିକ, ଆର୍ଥିକ ଏବଂ ଆଇନଗତ ପରିଚାଳନାର ଦାୟିତ୍ୱ ସମ୍ଭାଳିବା ।
ସୂଚନାଯୋଗ୍ୟ, CEO ପଦ ପାଇଁ ଟ୍ରଷ୍ଟ ପକ୍ଷରୁ ତିନି ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରମୋଦ କୋହଲି, ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱଡ଼େ ସାମିଲ ଥିଲେ ।