ଭୁବନେଶ୍ୱର: ସାଧାରଣ ଗରିବ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଜେନେରିକ୍ ଔଷଧ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଏବେ ଯୁବବର୍ଗଙ୍କ ପାଇଁ ରୋଜଗାରର ଏକ ନୂଆ ମାଧ୍ୟମ ପାଲଟିଛି ।
ସ୍ୱଳ୍ପ ପୁଞ୍ଜି ବିନିଯୋଗ କରି ନିଜସ୍ୱ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ଏହି ଯୋଜନାରେ ବ୍ୟାପକ ସୁଯୋଗ ପ୍ରଦାନ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କେନ୍ଦ୍ର ଖୋଲିବା ପାଇଁ କୌଣସି ଫାର୍ମାସୀ ଡିଗ୍ରୀର ଆବଶ୍ୟକତା ନାହିଁ ଏବଂ ଯେକୌଣସି ଆଗ୍ରହୀ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ତେବେ ଦୋକାନର ଦୈନନ୍ଦିନ ପରିଚାଳନା ତଥା ଔଷଧ ବିକ୍ରି ନିମନ୍ତେ ଜଣେ ପଞ୍ଜୀକୃତ ଫାର୍ମାସିଷ୍ଟ ନିଯୁକ୍ତ କରିବା ବାଧ୍ୟତାମୂଳକ କରାଯାଇଛି। ଆବେଦନ ଅନୁମୋଦନ ବେଳେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏଥିସହ କେନ୍ଦ୍ର ପାଇଁ ନିଜସ୍ୱ କିମ୍ବା ଭଡ଼ା ସୂତ୍ରରେ ଅତିକମରେ ୧୨୦ ବର୍ଗଫୁଟର ଏକ ସ୍ଥାୟୀ ଦୋକାନ ଘର ଥିବା ନିହାତି ଆବଶ୍ୟକ ।
ସରକାରଙ୍କ ପକ୍ଷରୁ କେନ୍ଦ୍ର ପରିଚାଳକଙ୍କୁ ବଜାର ଦରଠାରୁ ଖୁବ୍ କମ୍ ମୂଲ୍ୟରେ ଔଷଧ ଯୋଗାଇ ଦିଆଯିବା ସହ ଦୋକାନର ଭିତ୍ତିଭୂମି ସଜାଡ଼ିବା, ଆସବାବପତ୍ର, କମ୍ପ୍ୟୁଟର ଏବଂ ଫ୍ରିଜ୍ ଆଦି କିଣିବା ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।