ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ ଦେବାରୁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରୁନାହାନ୍ତି। ଏପରିକି ତାଙ୍କୁ ଅନେକ କ୍ରିକେଟ୍ ପ୍ରଶଂସକ ସମାଲୋଚନା କରିଆସୁଛନ୍ତି। ଏବେ ହଠାତ୍ ଭୁବନେଶ୍ବରଙ୍କ ଏକ ଆଚରଣରୁ ସେ କ୍ରିକେଟ୍ରୁ ସନ୍ୟାସ ନେଉଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି। ଭୁବନେଶ୍ବର ନିଜ ଇନ୍ଷ୍ଟାଗ୍ରାମ୍ରୁ ‘କ୍ରିକେଟର୍’ ଶବ୍ଦକୁ ସେ କାଢିଦେଇଛନ୍ତି। ପୂର୍ବରୁ ତାଙ୍କ ବାୟୋରେ ଇଣ୍ଡିଆନ୍ କ୍ରିକେଟର୍ ଲେଖା ହୋଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ ବାୟୋରୁ ‘କ୍ରିକେଟର୍’ ଶବ୍ଦ ହଟାଇ କେବଳ ‘ଇଣ୍ଡିଆନ୍’ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଯଦିଓ ଏହାର କାରଣ ସଂକ୍ରାନ୍ତରେ ଭୁବନେଶ୍ବର କିଛି ସ୍ପଷ୍ଟ କରିନାହାନ୍ତି, ତଥାପି ସେ କ୍ରିକେଟ୍ରୁ ସନ୍ୟାସ ନେଉଥିବା ସଂପର୍କରେ ଚୁପ୍ଚାପ୍ ତାଙ୍କ ପ୍ରଶଂସକଙ୍କୁ ଜଣାଉଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ବର ଶେଷଥର ପାଇଁ ଗତବର୍ଷ ନଭେମ୍ବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନାପିଏର୍ରେ ଖେଳିଥିଲେ।