Spread the love

ନୂଆଦିଲ୍ଲୀ: ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଷ୍ଟାର ଭାରୋତ୍ତୋଳକ ସାଇଖୋମ୍ ମୀରାବାଈ ଚାନୁ ମହିଳା ୪୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ୩୧ ବର୍ଷୀୟା ମୀରାବାଈ ଚାନୁ ନିଜର ଦମଦାର ପ୍ରଦର୍ଶନ ବଳରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ସ୍ନାଚରେ ୮୫ କିଲୋଗ୍ରାମ ଓଜନ ଉଠାଇ ନୂତନ ରେକର୍ଡ ସ୍ଥାପନ କରିଛନ୍ତି।

କ୍ଲିନ୍ ଆଣ୍ଡ୍ ଜର୍କ ବିଭାଗରେ ସେ ୧୦୫ କିଲୋଗ୍ରାମ ଓଜନ ଉଠାଇ ଆଉ ଏକ ରେକର୍ଡ କରିଛନ୍ତି । ସମୁଦାୟ ୧୯୦ କିଲୋଗ୍ରାମ ଓଜନ ଉଠାଇ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଏହି ସଫଳତା ସହ ମୀରାବାଈ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହାଟ୍ରିକ୍ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି । ୨୦୧୮ ଗୋଲ୍ଡ କୋଷ୍ଟରେ ସ୍ୱର୍ଣ୍ଣ ପଦକ, ୨୦୨୨ ବର୍ମିଂହାମରେ ସ୍ୱର୍ଣ୍ଣ ପଦକ ଏବଂ ଗ୍ଲାସଗୋରେ ଚଳିତ ରାଜ୍ୟଗୋଷ୍ଠୀ ଗ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମୀରାବାଈ ଚାନୁ ।

ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କ ପାଇଁ ଗ୍ଲାସଗୋ ସହର ବିଶେଷ ଗୁରୁତ୍ୱ ରଖେ। ସେ ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ (ରୌପ୍ୟ) ୨୦୧୪ ମସିହାରେ ଏହି ଗ୍ଲାସଗୋ ସହରରେ ହିଁ ଜିତିଥିଲେ। ଏବେ ୧୨ ବର୍ଷ ପରେ ସେହି ସହରରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଅନନ୍ୟ ଇତିହାସ ରଚିଛନ୍ତି।

ଏହା ପୂର୍ବରୁ ଭାରତୀୟ ଭାରୋତ୍ତୋଳକ (Weightlifter) ରିଷିକାନ୍ତ ସିଂହ ପୁରୁଷ ୬୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଏହାସହ ସେ ‘ସ୍ନାଚ୍’ ବିଭାଗରେ ନୂଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ କରିଛନ୍ତି। ମଣିପୁରର ୨୮ ବର୍ଷୀୟ ଭାରୋତ୍ତୋଳକ ରିଷିକାନ୍ତ ସିଂହ ସମୁଦାୟ ୨୬୪ କିଲୋଗ୍ରାମ ଓଜନ ଉଠାଇ ଏହି ସଫଳତା ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *