ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପାଇଁ ଆରମ୍ଭ ହେବ ଇ-ପୋର୍ଟାଲ । ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ । ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବାୟତ ଓ ଅଣସେବାୟତଙ୍କୁ ଜମି ଅଧିକାର ପ୍ରଦାନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଆଜି ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ଏକ ଇ-ପୋର୍ଟାଲର ବିକାଶ କରାଯିବ । ଏଥିରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲ କରୁଥିବା ସେବାୟତ ଓ ଅଣସେବାୟତମାନେ ନିଜ ନିଜର ତଥ୍ୟ ସହଜ ଓ ସରଳ ଉପାୟରେ ପ୍ରଦାନ କରିପାରିବେ ।
ଏହା ଦ୍ୱାରା ଜମି ଦଖଲରେ ଥିବା ସମସ୍ତଙ୍କ ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହେବା ସହ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ବ୍ୟବସ୍ଥା ଅଧିକ ସହଜ ଓ ଶୃଙ୍ଖଳିତ ହୋଇପାରିବ । ଏହି ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଇ-ପୋର୍ଟାଲକୁ ଅଧିକ ଉପଯୋଗୀ କରିବା ନେଇ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପରିଚାଳକ ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶିବପ୍ରସାଦ ମହାପାତ୍ର ଅଂଶଗ୍ରହଣ କରିଥିଲେ । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଭାସି ମାଧ୍ୟମରେ ଯୋଗ ଦେଇଥିବାବେଳେ ଓକାକ୍ ଓଏନ୍ଆଇସିର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।