Spread the love

ନିଜ ଦଳର ସରକାରଙ୍କୁ ସମାଲୋଚନା କରି ମନ୍ତ୍ରୀ ପଦରୁ ବିଦା ହୋଇଥିବା କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୁଧା ଆଜି ବିଧାନସଭାରେ ପ୍ରବଳ ହଙ୍ଗମା କରିଛନ୍ତି। ସେ ଆଜି ଗୃହ ଭିତରେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ଗୃହରେ ହଟ୍ଟଗୋଳ ମଧ୍ୟ କରିଛନ୍ତି।

ଏଥିପାଇଁ ତାଙ୍କୁ ବିଧାନସଭାରୁ ବଳପୂର୍ବକ ଟେକି ନେଇ ବାହାର ଛଡ଼ା ଯାଇଛି। ମାର୍ଶାଲମାନେ ତାଙ୍କୁ ଟେକି ନେଇ ବାହାର ଛାଡ଼ିଥିବା ବେଳେ ବିଧାୟକ ଗୁଧା କିନ୍ତୁ କଂଗ୍ରେସ ନେତାମାନଙ୍କୁ ଏଥିପାଇଁ ଦାୟୀ କରିଛନ୍ତି।

ଗୃହ ଭିତରେ କଂଗ୍ରେସର ବିଧାୟକମାନେ ତାଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଛନ୍ତି। ଏଥିସହ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଗୃହରୁ ବିଦା କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଆଜି ବିଧାନସଭା ଅଧିବେଶନର ଶୂନ୍ୟକାଳରେ ବିଜେପି ବିଧାୟକଙ୍କ ସହ ମିଶି ବିଦ୍ରୋହୀ କଂଗ୍ରେସ ବିଧାୟକ ଗୁଧା ପ୍ରବଳ ହଙ୍ଗାମା କରିଥିଲେ। ବିଧାୟକ ଗୁଧା ତାଙ୍କ ସହ ଗୃହକୁ ଗୋଟିଏ ନାଲି ରଙ୍ଗର ଡାଏରୀ ଧରି ଆସିଥିଲା। ସେ ଏହାକୁ ଦେଖାଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମସ୍ତ ପ୍ରକାରର ବେଆଇନ ଆର୍ଥିକ କାରବାର ତାଲିକା ଏଥିରେ ଥିବା ଦାବି କରିଥିଲେ।

ସେ ଡାଏରୀ ଦେଖାଇବାରୁ ବାଚସ୍ପତି ତୁରନ୍ତ ତାଙ୍କୁ ନିଜ ଚ୍ୟାମ୍ବରକୁ ଡାକିଥିଲେ। କିଛି ସମୟ ପରେ ଗୁଧା ସଂସଦୀୟ ବ୍ୟାପର ମନ୍ତ୍ରୀ ଶାନ୍ତି ଧରିୱାଲଙ୍କ ସିଟ୍‌ ପାଖରେ ପହଞ୍ଚିଥିଲେ। ସେ କିଛି କହିବାକୁ ଚେଷ୍ଟା କରୁଥିବା ବେଳେ ଗୁଧା ତାଙ୍କ ଅଟକାଇ ଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ସହ ବିଜେପି ବିଧାୟକମାନେ ମଧ୍ୟ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଗୃହରୁ ବିଦା ହେବା ପରେ ରେଡ୍‌ ଡାଏରୀକୁ ନେଇ ବିଧାୟକ ଗୁଧା ବଡ଼ ଦାବି କରିଛନ୍ତି। ସେ ଏହି ଡାଏରୀକୁ କଂଗ୍ରେସ ନେତା ଧର୍ମେନ୍ଦ୍ର ରାଠୋରଙ୍କ ଘରେ ହୋଇଥିବା ଆୟକର ରେଡ୍‌ ବେଳେ ପାଇଥିବା କହିଛନ୍ତି। ଏଥିରେ ଗେହଲଟ ଓ ତାଙ୍କ ପୁଅଙ୍କ ବେଆଇନ ଆର୍ଥିକ କାରବାର ଚିଠା ରହିଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଏହି ଡାଏରୀକୁ ଧର୍ମେନ୍ଦ୍ର ରାଠୋର ଲେଖିଛନ୍ତି। ଏଥିରେ ଅଶୋକ ଗେହଲଟ ଓ ତାଙ୍କ ପୁଅଙ୍କ ନାଁ ରହିଛି। ବିଧାୟକମାନଙ୍କୁ କେତେ ଟଙ୍କା ଲେଖାଏ ବେଆଇନ ଭାବେ ଦିଆଯାଇଛି, ତା’ର ତଥ୍ୟ ଅଛି। ସମସ୍ତଙ୍କୁ ୨ରୁ ୫ କୋଟି ଟଙ୍କା ମିଳିଛି।

କଂଗ୍ରେସ ବିଧାୟକମାନେ ମୋ ଠାରୁ ଏହାକୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡାଏରୀର କିଛି ଅଂଶ ମୋ ପାଖରେ ରହି ଯାଇଛି।” ଏହି ପ୍ରସଙ୍ଗକୁ ଆଧାର କରି ଏବେ ବିଜେପି ରାଜସ୍ଥାନର କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *