ନୂଆଦିଲ୍ଲୀ: ଚାରି ସନ୍ତାନଙ୍କ ସହ ନେପାଳ ବାଟଦେଇ ଭାରତକୁ ପଳାଇ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ବର୍ତ୍ତମାନ ଆଇନଗତ ଜଟିଳତାରେ ଛନ୍ଦି ହୋଇପଡିଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରାଜକ୍ଷମା ଭିକ୍ଷା କରିଛନ୍ତି । ଭାରତୀୟ ସ୍ୱାମୀ ସଚିନ ମୀନା ଓ ନିଜର ଚାରି ସନ୍ତାନଙ୍କ ସହ ଗ୍ରେଟର ନୋଏଡାରେ ଜୀବନ ଯାପନ କରିବାକୁ ଅନୁମତି ଦିଆଯାଉ ବୋଲି ସୀମା ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ରାଷ୍ଟ୍ରପତି ତୁରନ୍ତ ଏହାର ବିଚାର କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ସୀମାଙ୍କ ତରଫରୁ ସୁପ୍ରିମକୋର୍ଟ ଓକିଲ ଏ.ପି.ସିଂହ ଏହି ପିଟିସନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପଠାଇଥିବା ଜଣାପଡିଛି ।
ଫେସ୍ବୁକ୍ରେ ୨୨ ବର୍ଷୀୟ ସଚିନଙ୍କ ସହ ପ୍ରେମସମ୍ପର୍କ ସ୍ଥାପନ ହେବାପରେ ସେ ୪ ସନ୍ତାନଙ୍କ ସହ ନେପାଳ ବାଟ ଦେଇ ଭାରତକୁ ଚାଲିଆସିଥିଲେ । ଏଠାରେ ପହଞ୍ଚିବାପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ଏବଂ ହିନ୍ଦୁ ଋତିନୀତି ଅନୁଯାୟୀ ସଚିନଙ୍କୁ ବିବାହ କରିଥିବା ସୀମା କହିଛନ୍ତି । ଏପରିକି ସଚିନଙ୍କ ବାପା ଓ ମାଆ ମଧ୍ୟ ତାଙ୍କୁ ବୋହୁଭାବେ ସ୍ୱୀକାର କରିସାରିଲେଣି । ସଚିନଙ୍କ ଭଳି ଜଣେ ଉଦାର ସ୍ୱାମୀ ପାଇଥିବାରୁ ସେ ଆଉ ପାକିସ୍ତାନ ଫେରିବାକୁ ମନ ବଳାଉନଥିବା ସୀମା କହିଛନ୍ତି । ଯଦି ରାଷ୍ଟ୍ରପତି ଅନୁମତି ପ୍ରଦାନ କରନ୍ତି, ତେବେ ଅବଶିଷ୍ଟ ଜୀବନ ସେ ସଚିନଙ୍କ ସହ କଟାଇବାକୁ ପ୍ରସ୍ତୁତ ଥିବା ମଧ୍ୟ ସେ ପିଟିସନରେ ଉଲ୍ଲେଖ କରିଛନ୍ତି । ବୈଧ ଭିସା ନ ମିଳିବାରୁ ସେ ନେପାଳ ବାଟ ଦେଇ ଭାରତ ଆସିବାକୁ ବାଧ୍ୟ ହୋଇଥିବା ସୀମା କହିଛନ୍ତି ।
ସୂଚନାଯୋଗ୍ୟ ସିନ୍ଧ୍ ପ୍ରଦେଶ ବାସିନ୍ଦା ସୀମା ବିବାହିତ ହୋଇଥିବାବେଳେ ତାଙ୍କର ୪ ଜଣ ସନ୍ତାନ ଅଛନ୍ତି । ପବ୍ଜି ଗେମ୍ ଖେଳୁଥିବାବେଳେ ୨୦୨୯-୨୦ରେ ସଚିନଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢିଉଠିଥିଲା । ହ୍ୱାଟସଆପ୍ ଓ ଇନ୍ଷ୍ଟାଗ୍ରାମରେ ସମ୍ପର୍କ ଅଧିକ ମଜଭୁତ ହେବାପରେ ସୀମା ଆଉ ସମ୍ଭାଳି ନପାରି ଚାରି ସନ୍ତାନଙ୍କୁ ଧରି ନେପାଳ ରାସ୍ତା ଦେଇ ମେ’ ୧୩ରେ ଭାରତରେ ପହଞ୍ଚିଥିବାବେଳେ ସଚିନଙ୍କ ସହ ସେ ଗ୍ରେଟର ନୋଏଡାର ରାବୁପୁରା ଅଞ୍ଚଳରେ ବାସ କରୁଥିଲେ । ଏହି ଘଟଣା ପ୍ରସାରିତ ହେବାପରେ ଉତ୍ତର ପ୍ରଦେଶ ପୁଲିସ ଜୁଲାଇ ୪ରେ ତାଙ୍କୁ ଗିରଫ କରିଥିଲା । ତେବେ ସ୍ଥାନୀୟ କୋର୍ଟରୁ ଜାମିନ ମିଳିବାପରେ ସୀମା ବର୍ତ୍ତମାନ ପରିବାର ସହ ରାବୁପୁରାରେ ସପରିବାର ବାସ କରୁଛନ୍ତି । ଅପରପକ୍ଷରେ ସୀମା ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ଭାରତ ଆସିଥିବାରୁ ତାଙ୍କୁ ହାଲୁକାଭାବେ ଗ୍ରହଣ କରିବା ଅନୁଚିତ ବୋଲି ଉତ୍ତର ପ୍ରଦେଶ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମତବ୍ୟକ୍ତ କରିଛି ।