Spread the love

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି ।

ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଜର୍ଜ କୁରିଆନଙ୍କ ରାଜ୍ୟସଭା ସଦସ୍ୟତା ଗତ ୨୧ ତାରିଖରେ ଶେଷ ହୋଇଥିଲା । ଜୁନ୍ ୨୦୨୪ରେ ମୋଦୀଦି ୩ .୦ ସରକାର ଗଠନ ବେଳେ ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ସହିତ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ବ୍ୟବସାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିନଥିଲା । ଏଥିପାଇଁ ସଂସଦର ସଦସ୍ୟ ନ ରହିବାରୁ ତାଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି ।

ମୋଦି ୩.୦ କ୍ୟାବିନେଟ୍ ଗଠନ ହେବା ପରେ ହେଉଛି ମନ୍ତ୍ରୀ ପରିଷଦରେ ପ୍ରଥମ ଇସ୍ତଫା । ସମ୍ବିଧାନର ଧାରା ୭୫(୨) ଅନୁଯାୟୀ ଇସ୍ତଫା ଗ୍ରହଣ କରାଯାଇଛି । ନିୟମ ମୁତାବକ, ଜଣେ ମନ୍ତ୍ରୀଙ୍କୁ ସଂସଦର ଯେକୌଣସି ଗୃହରେ ସଦସ୍ୟ ହେବା ଅନିବାର୍ଯ୍ୟ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନଙ୍କ ଇସ୍ତଫା ପରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଡ଼ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଛି ।

ସୂଚନା ଅନୁସାରେ ଜୁନ୍ ଶେଷ କିମ୍ବା ଜୁଲାଇରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କେରଳରୁ ଆସିଥିବା ଜର୍ଜ କୁରିଆନ୍ ମନ୍ତ୍ରୀ ପଦରୁ ହଟିଥିଲେ ମଧ୍ୟ ବିଜେପିର ଜଣେ ପ୍ରଭାବଶାଳୀ ଓ ବରିଷ୍ଠ ନେତା ଭାବେ ଦଳୀୟ ସଂଗଠନରେ କାର୍ଯ୍ୟ ଜାରି ରଖିବେ ।

Leave a Reply

Your email address will not be published. Required fields are marked *