Spread the love

ଭୁବନେଶ୍ବର : ନବ ଦାସ ହତ୍ୟା ମାମଲାରେ ଏଫ୍‌ବିଆଇ ସହାୟତା ମଗାଯିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ଦେଇଛି ପ୍ରେସ୍ ରିଲିଜ୍ । ଯେଉଁଥିରେ ଗୃହ ମନ୍ତ୍ରଣାଳୟ ଉତ୍ତରକୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଖଣ୍ଡନ କରିଛନ୍ତି । ଏଫ୍‌ବିଆଇ ସହାୟତା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଫେବ୍ରୁଆରୀ ୨୨ରେ ଚିଠି ନଂ ୧୮୭/ଗ’ରେ ଏମ୍‌ଏଚ୍‌ଏକୁ ଚିଠି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ପ୍ରେସ୍ ରିଲିଜ୍‌ରେ କୁହାଯାଇଛି- ଗୋପାଳର ମାନସିକ ସ୍ଥିତି ଠିକ ନଥିବା ତାହାର ପରିବାର ଲୋକ କହିଥିଲେ, ତେବେ ମେଡିକାଲ ଟିମ୍ ଦ୍ୱାରା ଯାଞ୍ଚରୁ ସେ ମେଣ୍ଟାଲି ଫିଟ୍‌ ଥିବା ଜଣାପଡ଼ିଥିଲା, ଅଧିକ ସ୍ପଷ୍ଟତା ପାଇଁ CFSL, SFL, SCB ସହାୟତା ବି ନିଆଯାଇଥିଲା । ଅଧିକ ସ୍ପଷ୍ଟତା ପାଇଁ FBI ଦ୍ୱାରା ଯାଞ୍ଚ ପାଇଁ ସ୍ଥିର କରାଯାଇଥିଲା। ନିୟମାନୁସାରେ କୌଣସି ରାଜ୍ୟ ସରକାର ସିଧା FBIକୁ ଏବାବଦରେ କହିପାରିବେନି। ସୁତରାଂ ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଥିଲୁ ବୋଲି କ୍ରାଇମ୍‌ବ୍ରାଞ୍ଚ ପ୍ରେସ୍ ରିଲିଜ୍‌ରେ କହିଛି।
ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ। ଫେବ୍ରୁଆରୀ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏ ନେଇ ବିବୃତି ଦେଇ କହିଥିଲେ, ଅଭିଯୁକ୍ତ ଗୋପାଳର ମାନସିକ ବ୍ୟବହାର ସଂପର୍କରେ ଠିକ ଭାବେ ଜାଣିବା ପାଇଁ ଆମେରିକାର ପୁଲିସ୍(ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା ଏଫବିଆଇ)ର ସହାୟତା ନିଆଯିବ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ମାଗିଛି ରାଜ୍ୟ କ୍ରାଇମ୍ ବ୍ରାଂଚ୍। ମାର୍ଚ୍ଚ ୨୭ ତାରିଖରେ ବି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ନେଇ ଲିଖିତ ଉତ୍ତର ଦେଇଥିଲେ। ସେଥିରେ ଗୃହ ମନ୍ତ୍ରଣାଳୟର ଉତ୍ତରକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ ବେହେରା ଦର୍ଶାଇଥିଲେ।
ଏକ ଆରଟିଆଇ ତଥ୍ୟ ମୁତାବକ, ଗୃହ ମନ୍ତ୍ରଣାଳୟକୁ ମାର୍ଚ୍ଚ ୨୮ ତାରିଖରେ ଏଫ୍‌ବିଆଇ ତଦନ୍ତ ଅନୁମତି ନେଇ ଓଡ଼ିଶା ସରକାର ନିବେଦନ କରିଛନ୍ତି କି ବୋଲି ସୂଚନାଧିକାର କର୍ମୀ ଜାଣିବାକୁ ଚାହିଁଥିଲେ। ଗୃହ ମନ୍ତ୍ରଣାଳୟ ମେ’ ୨୬ ତାରିଖରେ ଅର୍ଥାତ୍ କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବା ଦିନ ଏହାର ଉତ୍ତର ରଖିଥିଲେ। ଉତ୍ତରରେ ଗୃହ ମନ୍ତ୍ରଣାଳୟ ଦର୍ଶାଯାଇଥିଲା- ବାହାର ଦେଶର ଅନୁସନ୍ଧାନ ସଂସ୍ଥାଗୁଡ଼ିକର ସାହାଯ୍ୟ ନେବା ପାଇଁ ରାଜ୍ୟ ତଦନ୍ତକାରୀ ସଂସ୍ଥାକୁ ସାହାଯ୍ୟ କରିଥାଏ ଗୃହ ମନ୍ତ୍ରଣାଳୟର ଲିଗାଲ ସେଲ, ଆଇଏସ-୨ ଡିଭିଜନ୍। ହେଲେ ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବାବଦରେ ଓଡ଼ିଶା ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଏହି ବିଭାଗର ହସ୍ତଗତ ହୋଇନାହିଁ ବୋଲି ଉତ୍ତରରେ ଦର୍ଶା ଯାଇଥିଲା।
ତଥ୍ୟରେ ପରବର୍ତ୍ତୀ ପ୍ରଶ୍ନ ଥିଲା- ଗତ ଦଶ ବର୍ଷରେ ଅନ୍ୟ କେଉଁ ରାଜ୍ୟର ତଦନ୍ତକାରୀ ସଂସ୍ଥା କେଉଁ ମାମଲାରେ ଏଫବିଆଇ ସହାୟତା ନେଇଛନ୍ତି କି? ଉତ୍ତରରେ ଗୃହ ମନ୍ତ୍ରଣାଳୟର ମୁଖ୍ୟ ଜନସୂଚନା ଅଧିକାରୀ ଲେଖିଛନ୍ତି- ଅନ୍ୟ ରାଜ୍ୟ ସଂପର୍କରେ କେବଳ ସେହି ରାଜ୍ୟର ତଦନ୍ତକାରୀ ସଂସ୍ଥା ବା କୋର୍ଟକୁ ଆମେ ଉତ୍ତର ଦେଇପାରିବୁ। ଏ ବିଷୟରେ ଆମେ ତଥ୍ୟ ବାଣ୍ଟିପାରିବୁ ନାହିଁ।
ଏଥିରୁ ଏଫବିଆଇ ସହାୟତା ନେଇ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଦାବି ଯେ ବିଭ୍ରାନ୍ତକାରୀ ଥିଲା ତାହା ଆରଟିଆଇ ଉତ୍ତରରୁ ସ୍ପଷ୍ଟ ହୋଇଛି। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେବା ଦିନ ଅର୍ଥାତ୍ ଫେବ୍ରୁଆରୀ ୨୨ ତାରିଖରେ ଗୃହ ମନ୍ତ୍ରଣାଳୟକୁ ରାଜ୍ୟ ଗୃହ ବିଭାଗ ଚିଠି କରିଥିଲା, ତାର ସ୍ଥିତି ଜାଣିବା ପାଇଁ କ୍ରାଇମ ବ୍ରାଂଚ୍ ବା ଗୃହ ବିଭାଗ ଅଧିକାରୀମାନେ କିଭଳି ଉଦ୍ୟମ କରିଥିଲେ ତାହା ସର୍ବସାଧାରଣଙ୍କୁ ଜଣାଇବା ଉଚିତ ଥିଲା।
ଏ ସଂପର୍କରେ ସ୍ପଷ୍ଟ ନ କରି କ୍ରାଇମବ୍ରାଂଚ୍ କେତେକ ମିଡିଆ ଚାନେଲ ଏଭଳି ସମ୍ବେଦନଶୀଳ ନ୍ୟୁଜକୁ ଯାଂଚ୍ ନ କରି ପ୍ରସାରଣ କରିବା ପେସାଦାର କାର୍ଯ୍ୟ ନୁହେଁ ବୋଲି ପ୍ରେସ ରିଲିଜରେ ଦର୍ଶାଇଛି। ନବ ଦାସଙ୍କ ହତ୍ୟା ତଦନ୍ତ ସଂପର୍କରେ ମୁହଁ ଖୋଲିବା ପାଇଁ ମିଡିଆକୁ ପ୍ରାୟ ଏଡାଇ ଯାଉଥିବା କ୍ରାଇମ ବ୍ରାଂଚ୍‌ ଏଡିଜି ଅରୁଣ ବୋଥ୍ରାଙ୍କ ଏଭଳି ସ୍ପଷ୍ଟୀକରଣ ଆଲୋଚନାର ବିଷୟ ହୋଇଛି। ବୋଥ୍ରାଙ୍କ ସ୍ପଷ୍ଟୀକରଣରୁ ଗୋଟିଏ ପ୍ରଶ୍ନ ଉଠେ ଯେ ସେ ଯଦି ଭାବୁଛନ୍ତି ସୂଚନା ଅଧିକାର ଆଇନ ଅନୁସାରେ ସରକାର ଯୋଗାଇଦେଉଥିବା ତଥ୍ୟ ସତ୍ୟ ନୁହେଁ, ତେବେ ସେ ଜଣେ ସରକାରୀ ଅଧିକାରୀ ଭାବରେ ଯେଉଁ କଥା କହୁଛନ୍ତି ତାହା କିପରି ସନ୍ଦେହର ଉର୍ଦ୍ଧ୍ୱରେ? ସେପଟେ ଆଜି ସାମ୍ବାଦିକମାନେ ଏ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ପ୍ରଶ୍ନ କଲାରୁ ସେ ବି ଏ ପ୍ରଶ୍ନର ଉତ୍ତର ନଦେଇ ଏଡ଼ାଇ ଯାଇଥିଲେ।
ସେ କହିଥିଲେ, କ୍ରାଇମ୍‌ବ୍ରାଞ୍ଚ ଯେଉଁ ଚାର୍ଜସିଟ୍‌ କରିଛି ସେଥିରୁ ଆହୁରି ଅନେକ ଫର୍ମାଲିଟି ବାକି ରହିଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନିରୀକ୍ଷଣରେ ତଦନ୍ତ ହେଉଥିବାରୁ ସମସ୍ତ ପ୍ରକ୍ରିୟା ସରିବା ପରେ ଚାର୍ଜସିଟ୍‌ରେ କ’ଣ ରହିଛି ତାହା କହିହେବ।

Leave a Reply

Your email address will not be published. Required fields are marked *