Spread the love

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଦୀର୍ଘତମ ଉତ୍ସବ ହେଉଛି ଚନ୍ଦନ ଯାତ୍ରା। ଏହା ‘ବାହାର ଚନ୍ଦନ’ ଓ ‘ଭିତର ଚନ୍ଦନ’ ଭାବରେ ଦୀର୍ଘ ୪୨ ଦିନ ଅନୁଷ୍ଠିତ ହୁଏ। ଅକ୍ଷୟ ତୃତୀୟାଠାରୁ ୨୧ ଦିନ ଧରି ବାହାର ଚନ୍ଦନ ମହୋତ୍ସବରେ ଶ୍ରୀବିଗ୍ରହମାନଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ରାମ, କୃଷ୍ଣ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରନ୍ତି। ସେଠାରେ ନୌକ୍ରୀଡ଼ା, ଚନ୍ଦନ କୁଣ୍ଡରେ ସ୍ନାନ, ମାଣ୍ଡୁଅ ଭୋଗ, ବିବିଧ କୃଷ୍ଣଲୀଳା ଓ ନାରାୟଣାତ୍ମକ ବେଶ ଆଦି ସ୍ୱତନ୍ତ୍ର ନୀତିମାନ ପାଳିତ ହୋଇଥାଏ।
ଏହି ଚନ୍ଦନ ଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି, ଚଳନ୍ତି ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀକୁ ଜଳକ୍ରୀଡ଼ା ଉଦ୍ଦେଶ୍ୟରେ ବିଜେ କରୁଥିବା ବେଳେ, କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ଉଦ୍ଦେଶ୍ୟରେ ପନ୍ତିଭୋଗ ହୁଏ। ଏହି ପନ୍ତିଭୋଗ ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ନରେନ୍ଦ୍ର ସରୋବର ପର୍ଯ୍ୟନ୍ତ, ରାସ୍ତାର ବିଭିନ୍ନ ସ୍ଥାନରେ, ଚାଞ୍ଚ, ଆମ୍ବଡାଳ, ପତ୍ର, ପୁଷ୍ପ ଓ ବିଭିନ୍ନ ଫଳ ଇତ୍ୟାଦିରେ ଛାମୁଣ୍ଡିଆମାନ ନିର୍ମାଣ କରାହୋଇ ସୁସଜ୍ଜିତ କରାଯାଇଥାଏ। ପରମ୍ପରା ଅନୁଯାୟୀ ଏହି ଛାମୁଣ୍ଡିଆ ତଳେ ବିଜେ ପ୍ରତିମାମାନଙ୍କ ବିମାନ, ପାଲିଙ୍କି ଇତ୍ୟାଦି ପନ୍ତି ଭୋଗ ସମୟରେ ସ୍ୱଳ୍ପ ସମୟପାଇଁ ରହିଥାନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ, ବାହାର ଚନ୍ଦନଯାତ୍ରାର ୨୧ ଦିନ ପର୍ଯ୍ୟନ୍ତ ପ୍ରାୟ ୩୨ ଗୋଟି ସ୍ଥାନରେ ପନ୍ତିଭୋଗ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରେ ପାଟ୍ଟଯୋଷୀ ମହାପାତ୍ରଙ୍କ ଦ୍ୱାରା ଶ୍ରୀମନ୍ଦିରର ବିମାନ ସରଘର (ସଂପ୍ରତି ଏହି ସ୍ଥାନଟି ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ରୂପେ କାର୍ଯ୍ୟ କରୁଛି), ଛାଉଣୀ ମଠ, କନିକା ଷ୍ଟେଟ୍‌, ଗୌରାଙ୍ଗ ସୁଆର, ମଙ୍ଗୁ ମଠ, ରାଧାବଲ୍ଲଭ ମଠ, ଏମାର ମଠ, ପ୍ରତିହାରୀ ନିଯୋଗ, ରାଘବ ଦାସ ମଠ, ଶ୍ରୀନଅର (ଦୁଇଗୋଟି ପନ୍ତି), ଶ୍ରୀରାମ ଦାସ ମଠ, ମରିଚିକୋଟ ଜେଗା ଘର, ଗଙ୍ଗାଧର ମହାପାତ୍ର, ଜୟପୁର ଷ୍ଟେଟ୍ (ନରସିଂହ କୋଟ), ଉତ୍ତରପାର୍ଶ୍ବ ମଠ, କେନ୍ଦୁଝର ଷ୍ଟେଟ୍‌, ଅଜିତ ପ୍ରସାଦ, ନୀଳମଣି ବ୍ରହ୍ମା, ଜଗନ୍ନାଥବଲ୍ଲଭ ମଠ, ମଣ୍ଡଳ କୋଠୀ, ଭାରତୀ କୋଠା, ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ନିର୍ବାଣୀ ଆଖେଡ଼ା, ଗଣେଶ ଗୁରୁଜ, ଖଣ୍ଡ ସାହି, ଜଗନ୍ନାଥ ମିଶ୍ର, ନରେନ୍ଦ୍ରକୋଣସ୍ଥିତ ଗୋପାଳବଲ୍ଲଭ ମନ୍ଦିର, ଜଟିଆବାବାଜୀ ମଠ, ଜଗନ୍ନାଥବଲ୍ଲଭ ଟୁଙ୍ଗୀ ଇତ୍ୟାଦି ରହିଛି। ସଂପ୍ରତି ଏଥି ମଧ୍ୟରୁ ସ୍ୱଳ୍ପ ସଂଖ୍ୟକ ସ୍ଥାନରେ ବିଭିନ୍ନ କାରଣବଶତଃ ପନ୍ତିଭୋଗ ହେଉ ନଥିବା ଜଣାଯାଏ।
ଏହି ପନ୍ତିଭୋଗରେ ମୁଖ୍ୟତଃ କ୍ଷୀର, ପାପୁଡ଼ି, କସ ଖୁଆ, ସର, ବତୁରା ଫାଳିମୁଗ, ଗଜାମୁଗ, ନଡ଼ିଆ କୋରା, ନଡ଼ିଆ ପାତି, ପଇଡ଼, ନଡ଼ିଆ କୋରା, ଗୁଡ଼ପାଗ ଖଇ, ପିଜୁଳି, କମଳା, ସପେଟା, ସପୁରୀ, ଆମ୍ବ, ଅଙ୍ଗୁର, ସେଓ, ଡାଳିମ୍ବ, ନାସପାତି, କାକୁଡ଼ି, ଦେଶୀକଦଳୀ, ପାଚିଲା ପଣସ, ଖୁଆପେଡ଼ା, ଚୁଡ଼ାଘଷା ଓ ପଣା ଇତ୍ୟାଦି ମଣୋହି ହୋଇଥାଏ। ବିଭିନ୍ନ ଆକାରର ନୂତନ ସରା, ଓଳି, କୁଡ଼ୁଆ, କଦଳୀପତ୍ର ଓ ପିତଳ ଥାଳିରେ ଏହିସବୁ ପନ୍ତି ଭୋଗ ସାମଗ୍ରୀ ବଢ଼ାଯାଇଥାଏ। ପୂଜାପଣ୍ଡା ସେବକ ପନ୍ତିସ୍ଥଳକୁ ଯାଇ ପଞ୍ଚୋପଚାର ବିଧିରେ ଏହି ପନ୍ତି ଭୋଗ କରିଥାନ୍ତି।
-ଡକ୍ଟର ଭାସ୍କର ମିଶ୍ର

Leave a Reply

Your email address will not be published. Required fields are marked *