Spread the love

ଭୁବନେଶ୍ବର : ଜେଲ ଭିତରେ କେଉଁ ଅପରାଧୀ ଅନ୍ୟ ଅପରାଧୀକୁ ଆକ୍ରମଣ କଲାଣି ତ କିଏ ମାନସିକ ଚାପରେ ରହି ଆତ୍ମହତ୍ୟା କଲାଣି। ନିଜକୁ ନିଜେ ଆକ୍ରମଣ କରି କ୍ଷତି ପହଞ୍ଚାଇଲାଣି। ଏପରିକି ଅନେକ ଅପରାଧୀ ମାନସିକ ଚାପ ମଧ୍ୟରେ ଜେଲରୁ ବାହାରି ଅଧିକ ଅପରାଧ ଘଟାଉଛନ୍ତି। କଏଦୀ ଜେଲ୍‌ରେ ରହି ସୁଧାର ଆସିବା ବଦଳରେ ଏଭଳି ଅସ୍ବାଭାବିକ ଆଚରଣ ଦେଖାଦେବା ଜେଲ୍‌ ବିଭାଗ ପାଇଁ ଚିନ୍ତା ବଢ଼ିଛି। ତେଣୁ କଏଦୀଙ୍କ ଆଚରଣ, ଉଚାରଣ କିଭଳି ପରିବର୍ତ୍ତନ ହେବ। ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ହେବେ। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏଥିରେ ଏକ ସଂସ୍କାର ଆଣିବାକୁ କଏଦୀ ଓ କାରାଗାର ନିର୍ଦ୍ଦେଶାଳୟ ବଡ଼ ନିଷ୍ପତ୍ତି ନେଇଛି।
ଏଣିକି ରିତିମତ ଭାବେ ମନସ୍ତତ୍ତ୍ବ ବିଶେଷଜ୍ଞ ଓ ଡାକ୍ତର କାରାଗାର ବୁଲି କଏଦୀଙ୍କ ଗତିବିଧି ଉପରେ ନଜର ରଖିବେ। ସନ୍ଦେହ ପ୍ରକଟ ହେଉଥିବା କଏଦୀଙ୍କୁ କାଉନ୍‌ସେଲିଂ କରିବେ। ସେମାନଙ୍କ ମାନସିକ ସ୍ଥିତିକୁ ପଢ଼ି ଉପଯୁକ୍ତ ଚିକିତ୍ସା କରିବା ସହ ଆଚାରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ। ଏଥିପାଇଁ କଏଦୀ ଓ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ୩୩ଜଣଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ୨୬ଜଣ ଯୋଗଦେଇଛନ୍ତି। ଯେଉଁଥିରେ ୧୪ ଜଣ ମନସ୍ତତ୍ତ୍ୱବିତ ଡାକ୍ତର ଓ ୧୨ ଜଣ ମାନସିକ ବିଶେଷଜ୍ଞ ରହିଛନ୍ତି। ଅନ୍ୟମାନେ ଖୁବ୍‌ଶୀଘ୍ର ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ‌ଚୌଦ୍ବାର ଜେଲ୍‌ରେ ବିଶେଷଜ୍ଞ ଟିମ୍‌ ଚିକିତ୍ସା ଆରମ୍ଭ କରିଛନ୍ତି।

ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି ଯେ, ଯେଉଁ ଜେଲରେ ଅଧିକ ମାନସିକ ରୋଗୀ ବା ମାନସିକ ରୋଗରେ ଆକ୍ରାନ୍ତ କଏଦୀ ରହୁଛନ୍ତି ସେଗୁଡ଼ିକୁ ଚିହ୍ନଟ କରି ତାଲିକା କରାଯିବ। ନିଯୁକ୍ତ ମନସ୍ତତ୍ତ୍ବ ବିଶେଷଜ୍ଞ ଓ ଡାକ୍ତର କଏଦୀଙ୍କୁ ନିରୀକ୍ଷଣ କରିବେ। ପ୍ରାଥମିକ ପର୍ଯାୟରେ ୨୦ଟି ଜେଲରେ ଏପରି ନବ ନିଯୁକ୍ତ ମନସ୍ତତ୍ତ୍ୱବିତଙ୍କୁ ନିଯୁକ୍ତ କରାଯାଇ କଏଦୀ ମାନଙ୍କର ମାନସିକ ସ୍ଥିତି ଉପରେ ନଜର ରଖାଯିବ। ରାଜ୍ୟରେ ୮୭ଟି ଜେଲ୍ ଥିବା ବେଳେ ୨୦ଟି ବଡ଼ ଜେଲ୍‌ରେ ମାନସିକ ସ୍ଥିତି ଠିକ୍ ନଥିବା କଏଦୀଙ୍କୁ ରଖି ଏପରି ଚିକିତ୍ସା କରାଯିବ। ଫଳରେ କଏଦୀଙ୍କ ମଧ୍ୟରେ ଦେଖା ଦେଉଥିବା ସମସ୍ୟା ଦୂର କରାଯାଇପାରିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *