Spread the love

ନୂଆଦିଲ୍ଲୀ: ଇଂଲଣ୍ଡର ୱେଷ୍ଟମିନଷ୍ଟର ଆବେରେ ମେ ୬ ତାରିଖରେ କିଙ୍ଗ୍ ଚାର୍ଲସ-୩ୟଙ୍କର ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ବିଭିନ୍ନ ଦେଶରୁ ୨୦୦୦ରୁ ଅଧିକ ବିଶିଷ୍ଟ ଅତିଥି ଯୋଗ ଦେବେ। ଏଥିରେ ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ରାଜ୍ୟାଭିଷେକ ଉତ୍ସବ ଏକ ରାଜକୀୟ ପରମ୍ପରା ଯେଉଁଥିରେ ନୂଆ ରାଜାଙ୍କ ମସ୍ତକରେ ରାଜମୁକୁଟ ପିନ୍ଧାଯାଇଥାଏ। ମେ ୬ର ଏହି ଉତ୍ସବରେ ଯଦି ଭାରତ ଯୋଗ ଦିଏ ତେବେ ଏହା ହେବ ଏପରି କାର୍ଯ୍ୟକ୍ରମରେ ଭାରତର ଦ୍ବିତୀୟ ‌ଯୋଗଦାନ। ସରକାରୀ ସୂଚନାରୁ ଯାହା ଜଣାପଡ଼ିଛି ଉପରାଷ୍ଟ୍ରପତି ଧନଖଡ଼ ଏହି ଉତ୍ସବରେ ଭାରତର ପ୍ରତିନିଧିତ୍ବ କରିବେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ସେ ହେବେ ଏପରି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଭାରତର ଦ୍ବିତୀୟ ପ୍ରତିନିଧି। ଏହା ପୂର୍ବରୁ ୭ ଦଶନ୍ଧି ତଳେ ରାଣୀ ଏଲିଜାବେଥ୍-୨ୟଙ୍କ ରାଜ୍ୟାଭିଷେକ ଉତ୍ସବରେ ‌ଭାରତ ପକ୍ଷରୁ ନେହରୁ ଯୋଗ ଦେଇଥିଲେ।
ସୂଚନା ଅନୁଯାୟୀ ବ୍ରିଟିସ ରାଜ ପରିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କରିଥିବା ବେଳେ ରାଷ୍ଟ୍ରପତିଙ୍କ ବଦଳରେ ଉପରାଷ୍ଟ୍ରପତି ଧନଖଡ଼ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ, ବଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଶ୍ରୀଲଙ୍କା ରା‌ଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏଥିରେ ଯୋଗ ଦେବା ଆଶା କରାଯାଉଛି।

ଯାହା ଜଣାପଡ଼ିଛି, ରାଣୀ କନସର୍ଟ କାମିଲା କୋହୀନୂର ହୀରା-ଖଚିତ ରାଜମୁକୁଟ ପରିଧାନ କରିବେ ନାହିଁ। କାରଣ ଏହି ହୀରାକୁ ଉପନିବେଶୀୟ ଶାସନ ସମୟରେ ଇଂଲଣ୍ଡ ଭାରତରୁ ନେଇଥିଲା। ଗତବର୍ଷ ଏହାକୁ ନେଇ ବିବାଦ ଉଠିଥିଲା ଏବଂ ଭାରତରୁ ଲୁଟାଯାଇଥିବା କୋହୀନୂର ହୀରାକୁ ବ୍ରିଟିସ ରାଣୀ ପିନ୍ଧୁଥିବାରୁ ବିଶ୍ବବ୍ୟାପୀ ସମାଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *