Spread the love

ନୂଆଦିଲ୍ଲୀ: କ୍ରାଇମିଆର ସେଭାସ୍ତୋପୋଲ୍‌ ବନ୍ଦରରେ ଥିବା ତୈଳ ଡିପୋ ବା ଭଣ୍ଡାରରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ଶନିବାର ପ୍ରତ୍ୟୁଷରେ ନିଆଁ ଲାଗିଥିଲା ବୋଲି କ୍ରାଇମିଆ ନଗରୀରେ ମସ୍କୋଦ୍ବାରା ନିଯୁକ୍ତ ଗଭର୍ଣ୍ଣର୍‌ କହିଛନ୍ତି।
ଶନିବାର ଦିନ ‘ଟେଲିଗ୍ରାମ୍‌ ମେସେଜିଙ୍ଗ୍‌ ଆପ୍‌’ରେ ଗଭର୍ଣ୍ଣର୍‌ ମିହାଇଲ୍‌ ରା‌ଜ୍‌ଭୋଝାଏଭ୍‌ କହିଛନ୍ତି, ବିଶେଷଜ୍ଞମାନେ ଘଟଣାସ୍ଥଳ ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଯାଇଛି ଯେ, ତୈଳ ଭଣ୍ଡାର ନିକଟରେ ଗୋଟିଏ ମାତ୍ର ଡ୍ରୋନ୍‌ ପହଞ୍ଚି ପାରିଥିଲା।
ଏହି ଡ୍ରୋନ୍‌ ଆକ୍ରମଣରେ କେହି ଆହତ ହୋଇନାହାନ୍ତି ଏବଂ ଆଉ ଗୋଟାଏ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି ବୋଲି ସେ କହିଛନ୍ତି।
ଜଣେ ୟୁକ୍ରେନୀୟ ସାମରିକ ଗୁଇନ୍ଦା ଅଧିକାରୀଙ୍କ ବିବୃତିରୁ ଉଦ୍ଧାର କରି ‘ଆର୍‌ବିସି ୟୁକ୍ରେନ୍‌’ ରିପୋର୍ଟ କରିଛି ଯେ, ରୁଷ୍‌ କୃଷ୍ଣସାଗରରେ ଥିବା ଯୁଦ୍ଧପୋତଗୁଡ଼ିକରେ ବ୍ୟବହାର ହେବା ପାଇଁ ସେଠାରେ ଗଚ୍ଛିତ ଥିବା ୧୦ରୁ ଅଧିକ ଟ୍ୟାଙ୍କ୍‌ ତୈଳ ଉତ୍ପାଦ ନଷ୍ଟ ହୋଇଯାଇଛି। ପ୍ରତି ଟ୍ୟାଙ୍କ୍‌ରେ ପ୍ରାୟ ୪୦,୦୦୦ ଟନ୍‌ ତୈଳ ଉତ୍ପାଦ ଧାରଣ କରିବାର ସାମର୍ଥ୍ୟ ଥିଲା।

ଡ୍ରୋନ୍‌ ଆକ୍ରମଣ ଯୋଗୁଁ ଏହି ତୈଳ ଭଣ୍ଡାରରେ ନିଆଁ ଲାଗି ଆକାଶକୁ ପ୍ରକାଣ୍ଡ ଧୂଆଁ କୁଣ୍ଡଳି ଉଠିଥିଲା। କିନ୍ତୁ, ଦୁର୍ବିପାକ ଘଟିବା ଆଗରୁ ନିଆଁ ଲିଭାଇ ଦିଆଯାଇଥିଲା ବୋଲି ଗଭର୍ଣ୍ଣର୍‌ ମିହାଇଲ୍‌ ରା‌ଜ୍‌ଭୋଝାଏଭ୍‌ କହିଛନ୍ତି।

କ୍ରାଇମିଆ ଉପରେ ଆକ୍ରମଣ ପାଇଁ କିବ୍‌ ଆକାଶ ଓ ସମୁଦ୍ର ପଥରେ ଡ୍ରୋନ୍‌ ପ୍ରେରଣ କରୁଛି ବ‌ୋଲି ମସ୍କୋ କହୁଥିବା ବେଳେ ୟୁକ୍ରେନୀୟ ସେନା ଅଧିକାରୀ ଆନ୍ଦ୍ରି ୟୁସୋଭ୍‌ କହିଛନ୍ତି, ୟୁକ୍ରେନ୍‌ ଆକ୍ରମଣ କରିନାହିଁ। ବରଂ ଶୁକ୍ରବାର ଦିନ ୟୁକ୍ରେନୀୟ ନଗରୀ ଉମାନ ଉପରେ ଆକ୍ରମଣ କରି ୨୩ଜଣ ଲୋକଙ୍କ ଜୀବନ ନେଇଥିବା ରୁଷ୍‌ ପ୍ରତି ଏହା ଦୈବଦଣ୍ଡ।

Leave a Reply

Your email address will not be published. Required fields are marked *