Spread the love

ନବରଂଗପୁର: ନକ୍ସଲମାନେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ସନ୍ଦେହ ହେଉଛି। ନୂଆପଡା ମେନପୁର ଡିଭିଜନରେ ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିବା ପରେ ଏଭଳି ସନ୍ଦେହ କରାଯାଉଛି। ବୁଧବାର ଦିନ ନକ୍ସଲ ଶିବିର ଧ୍ୱଂସ କରାଯିବା ପରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀ ଗୁରୁବାର ଏହା କହିଛନ୍ତି। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟକୁ ନେଇ ନବରଙ୍ଗପୁର ଏସପି ଏସ୍‌ ସୁଶ୍ରୀ ସାମ୍ବାଦିକ ସମିଳନୀରେ କହିଛନ୍ତି ଯେ, ଗତକାଲି ଜବତ ହୋଇଥିବା ଜିନିଷରୁ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସନ୍ଦେହ ହେଉଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଛତିଶଗଡ଼ର ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଯୋଜନା ପ୍ରସ୍ତୁତ କରି ଏସ୍‌ଓଜି ଯବାନଙ୍କ ଦୁଇଟି ଟିମ୍‌ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ବୁଧବାର ସକାଳ ପ୍ରାୟ ସାଢ଼େ ୯ଟାରେ ମାଓବାଦୀଙ୍କ ଠିକଣାରେ ଯବାନମାନେ ପହଞ୍ଚିବା ପରେ ଗୁଳି ବର୍ଷଣ ହୋଇଥିଲା। ମାଓବାଦୀ ଖସିଯିବାକୁ ଉଦ୍ୟମ କରି ଆଖିବୁଜା ଗୁଳି ଚଳାଇଥିଲେ। ଯବାନମାନେ ପୂର୍ବ ପ୍ରସ୍ତୁତି ଅନୁସାରେ କଡ଼ା ଯବାବ ଦେବାରୁ ବେଶୀ ସମୟ ଲଢ଼ିବା ପାଇଁ ମାଓବାଦୀ ସକ୍ଷମ ହୋଇନଥିଲେ। ପ୍ରାୟ ୨୦ରୁ ୨୫ଜଣ ମାଓବାଦୀ ରହିଥିବା ଅନୁମାନ କରାଯାଉଥିବା ବେଳେ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

ମାଓବାଦୀ ସ୍ଥାନ ଛାଡ଼ିବା ପରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ। ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ ‌ଗୁଳିଗୋଳା ଓ ଆପତ୍ତିଜନକ ସାମଗ୍ରୀ ଘଟଣାସ୍ଥଳରୁ ମିଳିଥିଲା। ସିସିଏମ୍‌ ମୁରଲୀ, ଏସ୍‌ସିଏମ୍‌ କାର୍ତ୍ତିକ, ଏସ୍‌ସିଏମ୍‌ ଗୁଡୁ, ଏସିଏମ୍ ଆକାଶ, ଏସିଏମ୍‌ ନନ୍ଦାଲ ପ୍ରମୁଖ ଏଠାରେ କ୍ୟାମ୍ପ କରିଥିଲେ। ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅନ୍ତର୍ଗତ ଉଦନ୍ତି ଜଙ୍ଗଲର ସାଇବିନକାଚର ଗାଁର କିଛି ଜଣ ମଧ୍ୟ କ୍ୟାମ୍ପରେ ରହିଥିଲେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *