Spread the love

ଲକ୍ଷ୍ନୌ : ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ସ୍ତ୍ରୀ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜ ଜୀବନକୁ ଶେଷ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଅଭିଯୁକ୍ତ ମାନସ ବାଜପେୟୀ, ସ୍ତ୍ରୀ ଦିବ୍ୟା ମିଶ୍ର ଏବଂ ଭଉଣୀ ଶିବା ବାଜପେୟୀ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଶେଷ କରିଥିବା ଜଣାପଡ଼ିଛି ।

ମାନସ ଗୋମତୀ ନଗରସ୍ଥିତ ଏକ ବ୍ୟାଙ୍କ ଶାଖା ବାହାରକୁ ସ୍ତ୍ରୀ ଦିବ୍ୟାଙ୍କୁ ଡାକି କିଛି ସମୟ କଥାବାର୍ତ୍ତା ହେବା ପରେ ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ । ଦିବ୍ୟାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟାଙ୍କ ବାହାରେ ସ୍ତ୍ରୀଙ୍କୁ ଗୁଳି କରିବା ପରେ ମାନସ ଘରକୁ ଫେରି ଭଉଣୀ ଶିବାଙ୍କୁ ଗୁଳି କରି ନିଜକୁ ଶେଷ କରିଥିଲେ ।

ପୋଲିସ କହିବା ମୁତାବକ, ମାନସ ଏବଂ ଦିବ୍ୟା ୧୨ ବର୍ଷ ପୂର୍ବରୁ ବିବାହ କରିଥିଲେ । ହେଲେ ପାରିବାରିକ ବିବାଦ କାରଣରୁ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଦୁହେଁ ଅଲଗା ରହୁଥିଲେ । ଦିବ୍ୟା ଗତବର୍ଷ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ସେପଟେ ଦିବ୍ୟା ପ୍ରତାରଣା କରିଥିବା ନେଇ ମାନସ ଅଭିଯୋଗ କରିଥିଲେ । ଜୀବନ ହାରିବା ପୂର୍ବରୁ ମାନସ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଥିଲେ ଯେ, ସେ ପ୍ରତାରଣା କରିଥିବା ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଏବଂ ଏବେ ନିଜେ, ନିଜ ଭଉଣୀ ଓ ସ୍ତ୍ରୀଙ୍କ ଭଉଣୀ ପ୍ରଜ୍ଞାଙ୍କୁ ଶେଷ କରିଦେବେ । ମାନସ ମଧ୍ୟାହ୍ନ ପ୍ରାୟ ୧୨:୩୦ରେ ତରବରିଆ ଭାବରେ ଘରକୁ ଫେରି ହନୁମାନ ଚାଳିଶା ବଜାଇଥିଲେ । ପରେ ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଖି ପଡ଼ୋଶୀ ଘର ଭିତରକୁ ଯିବାରୁ ମାନସଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ତେବେ ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି । ତଦନ୍ତ କରିବା ପରେ ସବୁ ସତ୍ୟତା ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *