Spread the love

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶାର ୭ଟି ସ୍ଥାନ ସହ ଦେଶର ୯୧ଟି ସ୍ଥାନରେ ନୂତନ ଆକାଶବାଣୀ ଏଫ୍‍ଏମ୍‍ ଟ୍ରାନ୍ସମିଟରର ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିବେ। ଏହି ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ବିଭାଗର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍‍.ମୁରୁଗନ୍‍ ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗୋପ, ନବରଙ୍ଗପୁର, ଗଜପତିର ମୋହନା, ବରଗଡ଼, କନ୍ଧମାଳର ଫୁଲବାଣୀ, କୋରାପୁଟ ଏବଂ ମାଲକାନଗିରିଠାରେ ଏହି ଏଫ୍‍ଏମ୍‍ ଟ୍ରାନ୍ସମିଟର ଲୋକାର୍ପିତ ହେବ।
ଏଗୁଡ଼ିକର କ୍ଷମତା ୧୦୦ ୱାଟ୍‍ ରହିଛି । ଏହାକୁ ୧୫ରୁ ୨୦ କିଲୋମିଟର ପରିସର ମଧ୍ୟରେ ଶୁଣାଯାଇପାରିବ। ଏହାଦ୍ୱାରା ଆକାଶବାଣୀର ଏଫ୍‍ଏମ୍‍ ସେବା ଆଉ ଅତିରିକ୍ତ ୨ କୋଟି ଲୋକଙ୍କ ପାଖରେ ପହଞ୍ଚି ପାରିବ। କେନ୍ଦ୍ର ସରକାର ଦେଶରେ ଏଫ୍‍ଏମ୍‍ ସେବା ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓର ଭୂମିକାକୁ ନେଇ ସର୍ବଦା ସକରାତ୍ମକ ମତପୋଷଣ କରିଆସିଛନ୍ତି। ଆକାଶବାଣୀରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆସନ୍ତା ରବିବାର (ଏପ୍ରିଲ ୩୦) ଏହି କାର୍ଯ୍ୟକ୍ରମ ଏହାର ୧୦୦ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *