Spread the love

ଅନୁଗୁଳ: ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଏହି ମାମଲାର ଶୁଣାଣି କରି ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରାଙ୍କ ବିରୋଧରେ ଏହି ରାୟ ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ, ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରା ରାମଦିନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ଧରା ପଡ଼ିଥିଲେ। ଲିଜ ଜମି ବାତିଲ ନ କରିବାକୁ ସେ ଏହି ଲାଞ୍ଚ ନେଉଥିବା‌ ଜଣାପଡ଼ିଥିଲା। ଏହି ମାମଲାରେ ଶ୍ରୀ ବେହେରା ଗିରଫ ହୋଇଥିଲେ। ମାମଲାର ବିଚାର ସୁନ୍ଦୁରଗଡ଼ ଜିଲ୍ଲାରେ ହେଉଥିଲାବେଳେ ଆଇନ୍‌ଜୀବୀ ଆନ୍ଦୋଳନ ପାଇଁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଏହାକୁ ଅନୁଗୁଳ ଭିଜିଲାନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଅନୁଗୁଳ ଭିଜିଲାନ୍ସ ଜଜ୍‌ ଅନୂପ ପଟ୍ଟନାୟକ ଏହି ମାମଲାରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ବିଭିନ୍ନ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାଙ୍କୁ ଅତିରିକ୍ତ ୨ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାକୁ ସରକାରୀ ଓକିଲ ଗଦାଧର ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *