Spread the love

ଭୁବନେଶ୍ୱର: ପଶ୍ଚିମ ବିଦର୍ଭରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ମରାଠାଓ୍ଵାଡା ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଉପର ଦେଇ ସମୁଦ୍ର ପତନଠାରୁ ୧.୫ କିଲୋମିଟର ଉଚ୍ଚତାରେ ଏକ ଟ୍ରଫ୍‌ ଲାଇନ ବ୍ୟାପିବା ସହ ଲଘୁଚାପ/ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ତିନିଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି। ଏବଂ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏହିପରି ପାଗ ଆସନ୍ତା ମଇ ୨ ତାରିଖ ଯାଏ ଲାଗି ରହିବା ସହ କାଳବୈଶାଖୀ ଜନିତ ବର୍ଷା ଓ କୁଆପଥର ବର୍ଷା ଜାରି ରହିବ। ଫଳରେ ରାଜ୍ୟରେ ଦିନର ତାପମାତ୍ରାରେ ହ୍ରାସ ଘଟିବା ସହ ଥଣ୍ଡା ପାଗ ଅନୁଭୂତ ହେବ। ରାଜ୍ୟବାସୀ ଅସହ୍ୟ ତାତି ଓ ଗୁଳୁଗୁଳିରୁ ରକ୍ଷା ପାଇବେ।
ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୮ ତାରିଖ ଶୁକ୍ରବାର ଅପରାହ୍ଣ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହି ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।
ଜାରି ସତର୍କ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।
ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଏହାର ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ସନ୍ଧ୍ୟାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯିବା ସହ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *