Spread the love

ଆଗ୍ରା :  ୨୨ ବର୍ଷ ଧରି ଲଢ଼େଇ କରିବା ପରେ ଶେଷରେ ୫୦ ଗ୍ରାମର ସୁନା କଏନ ଜିତିଲେ। ଆଗ୍ରାରେ ଦେଖିବାକୁ ମିଳିଛି ଏହି ଘଟଣା। ୫୨ ବର୍ଷିୟ ଶ୍ୟାମ ଲାଭାନିଆ ନାମକ ଏହି ବ୍ୟକ୍ତିଙ୍କୁ ରାଜ୍ୟ ଉପଭୋକ୍ତା କୋର୍ଟରୁ ନ୍ୟାୟ ମିଳିଛି। କୋର୍ଟ ମାମଲାର ବିଚାର କରି ଥଣ୍ଡା ପ୍ରସ୍ତୁତକାରୀ କମ୍ପାନୀକୁ ତୁରନ୍ତ ୫୦ ଗ୍ରାମ ୨୨ କ୍ୟାରେଟ ସୁନା ସମ୍ପୃକ୍ତ ବ୍ୟକ୍ତିଙ୍କ ହାତରେ ଦେବାକୁ ନିର୍ଦ୍ଦେଶ ଦେଇଛି। ଶ୍ୟାମଙ୍କୁ ୨୦୦୧ରେ ଥଣ୍ଡା ପାନୀୟ ବୋତଲ ଠିପିରୁ ଏକ ଟୋକନ ମିଳିଥିଲା। ଯେଉଁଥିରେ ସୁନା କଏନ ପୁରସ୍କାର ଜିତିଥିବା ଉଲ୍ଲେଖ ଥିଲା। ହେଲେ ଶ୍ୟାମଙ୍କୁ ଏହି ପୁରସ୍କାର ଦେବାକୁ କମ୍ପାନୀ ଅସ୍ୱୀକାର କରିଥିଲା।
ଶ୍ୟାମ ଏକ ଛୋଟ ଜଳଖିଆ ଦୋକାନ ଚଳାନ୍ତି। ୨୦୦୧ ଏପ୍ରିଲ ୨୮ ତାରିଖରେ ସେ ତାଙ୍କ ପୁଅ ଜନ୍ମଦିନ ଅବସରରେ ବହୁତଗୁଡ଼ିଏ ଥଣ୍ଡା ପାନୀୟ ବୋତଲ କିଣିଥିଲେ। ଏହି ବୋତଲଗୁଡ଼ିକ ଭିତରୁ ଗୋଟିଏ ଠିପି ଭିତରୁ ଏକ ଟୋକନ ବାହାରିଥିଲା। ଯେଉଁଥିରେ ସେ ସୁନା କଏନ୍ ଜିତିଥିବା ନେଇ ଘୋଷଣା ରହିଥିଲା। ଏନେଇ ସେ ଥଣ୍ଡା କିଣିଥିବା ଦୋକାନୀ ପରେ ହୋଲସେଲର ଓ କମ୍ପାନୀ ନିକଟକୁ ଯାଇ ଜିତିଥିବା ସୁନା କଏନ ପୁରସ୍କାର ଦେବାକୁ କହିଥିଲେ। ହେଲେ ସୁନା କଏନ ଦିଆ ନ ଯିବାରୁ ସେ ଆଗ୍ରା ଜିଲ୍ଲା ଉପଭୋକ୍ତା କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଶ୍ୟାମଙ୍କ ସପକ୍ଷରେ ରୟ ଦେଇଥିଲେ। ତେବେ ଏହାକୁ ବିରୋଧ କରି ଥଣ୍ଡା ପାନୀୟ କମ୍ପାନୀ ରାଜ୍ୟ ଉପଭୋକ୍ତା କୋର୍ଟକୁ ଯାଇଥିଲା। ଦୀର୍ଘଦିନ ବିଚାର ପ୍ରକ୍ରିୟା ଚାଲିବା ପରେ ଚଳିତ ମାସ ୧୧ ତାରିଖରେ ଶ୍ୟାମଙ୍କ ସପକ୍ଷରେ ପୁଣି ଶୁଣାଣି ହୋଇଛି। ତୁରନ୍ତ ଶ୍ୟାମଙ୍କୁ ମାସକ ଭିତରେ ପୁରସ୍କାର ଜିତିଥିବା ସୁନା କଏନ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମନମାନୀ କରିଥିବା ଉପଲବ୍ଧି କରି କମ୍ପାନୀ ଉପରେ ୫ ହଜାର ଟଙ୍କାର ଜରିମାନା ମଧ୍ୟ କରିଛନ୍ତି ଜିଲ୍ଲା କୋର୍ଟ।
ଶୁଣାଣିରେ କୁହାଯାଇଥିଲା ଯେ କମ୍ପାନୀମାନେ ଲାଭ କରିବା ଆଶାରେ ଏଭଳି ଅନେକ ସ୍କିମ୍ କରୁଛନ୍ତି। ମାତ୍ର ଗ୍ରାହକଙ୍କୁ ଏହାର ସୁବିଧା ଠିକ୍ ଭାବେ ଦିଆଯାଉନି। ଯାହା ଉପଭୋକ୍ତାଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି।
କୋର୍ଟରେ ବିଚାର ଚାଲିବା ବେଳେ ଶ୍ୟାମ ଥଣ୍ଡା ପାନୀୟ କିଣିବା ସମୟରେ ରଖିଥିବା ୧୯୮୦ ଟଙ୍କାର ବିଲ୍, ଆଗ୍ରାରେ ହୋଲସେଲରଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଯାତ୍ରା ଟିକେଟ୍ ପ୍ରଭୃତି ଦେଖାଇଥିଲେ। ଯେତେବେଳେ କି କମ୍ପାନୀ ଯୁକ୍ତି ବାଢ଼ିଥିଲା କି ନିର୍ଦ୍ଧାରିତ ସମୟ ଚାଲିଯିବା ପରେ ଶ୍ୟାମ ପୁରସ୍କାର ଜିତିଥିବା ଟୋକନ ଦେଖାଇଥିଲେ। ତେଣୁ ସେ ପୁରସ୍କାର ପାଇବାକୁ ହକଦାର ନୁହଁନ୍ତି।
ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ଶ୍ୟାମଙ୍କୁ ଏହି ମାମଲା ଜିତିବାକୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ପାଖାପାଖି ୧୦୦ରୁ ଅଧିକ ଥର ହୋଇଥିବା କୋର୍ଟ ଶୁଣାଣିରେ ତାଙ୍କୁ ଉପସ୍ଥିତ ହେବାକୁ ପଡ଼ିଛି। ନ୍ୟାୟ ମିଳିବନି ଓ ଏଥିପାଇଁ ସମୟ ନଷ୍ଟ କରନାହିଁ ବୋଲି ତାଙ୍କୁ ପରିବାର ଲୋକେ ବହୁଥର କହିଛନ୍ତି। ହେଲେ ସେ ଏହାକୁ କର୍ଣ୍ଣପାତ କରିନାହାନ୍ତି। ତାଙ୍କ ପୁଅ ଆକାଶ କହିଛନ୍ତି, ଜିଲ୍ଲା ଉପଭୋକ୍ତା କୋର୍ଟ ରାୟ ଦେବାପରେ କମ୍ପାନୀ କର୍ତ୍ତୃପକ୍ଷ ଆଇନ ବାହାରେ ଏହି ବିବାଦକୁ ଛିଡ଼ାଇବାକୁ ପ୍ରୟାଶ କରିଥିଲେ। ହେଲେ ଆଇନ ଅନୁଯାୟୀ ନ୍ୟାୟ ପାଇଥିବାରୁ କମ୍ପାନୀର ଏହି ବେଆଇନ କାର୍ଯ୍ୟକୁ ବାପା ଅସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *