ନୂଆଦିଲ୍ଲୀ : ପାକିସ୍ତାନରେ ପୁଣିଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବି ନେଇ ବିକ୍ଷୋଭ ଆରମ୍ଭ ହୋଇଛି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ୍-ଏ-ଇନସାଫ୍ଟି ପକ୍ଷରୁ ଖୈବର ପଖତୁନଖ୍ୱାରୁ ଇସ୍ଲାମାବାଦ ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଛି । ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ଶୋଭାଯାତ୍ରା ଆରମ୍ଭ କରାଯାଇଛି । ତେଣୁ ଇସଲାମାବାଦରେ ୧୪୪ ଧାରା ଲାଗୁ କରାଯାଇଛି । ତେଣୁ ଇସଲାମାବାଦରେ ପ୍ରବେଶ ପାଇଁ କଟକଣା ଲାଗୁ ହୋଇଛି ।
ସରକାରୀ ଆଲୋଚନାକାରୀ ଓ ଇମ୍ରାନ ଖାନଙ୍କ ଦଳର ନେତାମାନଙ୍କ ମଧ୍ୟରେ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ସନ୍ଧ୍ୟା ୪ଟାରେ ଆରମ୍ଭ ହୋଇଥିଲା । ଏହି ଆଲୋଚନା ରାତିସାରା ଚାଲିଥିଲେ ମଧ୍ୟ ରବିବାର ଭୋର ସମୟରେ କୌଣସି ସହମତି ବିନା ଶେଷ ହୋଇଥିଲା । ତେଣୁ PTI ସମର୍ଥକମାନେ ଖୈବର ପଖତୁନଖ୍ୱାର ଲକ୍କି ମରୱତରୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ଅକ୍ଟୋବର ୪ରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚରେ ବହୁ ସଂଖ୍ୟକ PTI ସମର୍ଥକ ଗାଣ୍ଡି ଚୌକରେ ଏକାଠି ହୋଇଥିଲେ ।
ତେବେ ଏହା ନେଇ ପ୍ରାୟ ୨ ହଜାର କର୍ମୀଙ୍କୁ ଗିରଫ କରାଯାଇଥିବା PTI ଅଭିଯୋଗ କରିଛି । ଇସ୍ଲାମାବାଦରେ ସଂସଦ ଓ ରାଜପଥର ସୁରକ୍ଷା ବଢ଼ାଯାଇ ଅନେକ ରାସ୍ତାକୁ କଣ୍ଟେନର ଲଗାଇ ବନ୍ଦ କରାଯାଇଛି । PTI ଗତ ମାସରେ ସେପ୍ଟେମ୍ବର ୨୭ରେ ଇସ୍ଲାମାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଘୋଷଣା କରିଥିଲା । କିନ୍ତୁ ବିରୋଧ ପ୍ରଦର୍ଶନ ରୋକିବା ପାଇଁ ଶେହବାଜ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବା ପରେ ଏହାକୁ ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
PTI ନେତାମାନଙ୍କ ମୁଖ୍ୟ ଦାବି ହେଉଛି, ଜେଲରେ ଥିବା ଇମ୍ରାନ ଖାନଙ୍କ ସହ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ । ଏହା ସହ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଘରୋଇ ଡାକ୍ତରଙ୍କୁ ଅନୁମତି ଦିଆଯାଉ । ୨୦୨୩ରୁ ଜେଲରେ ବନ୍ଦ ରହିଛନ୍ତି ୭୩ ବର୍ଷୀୟ ପୂର୍ବତନ କ୍ରିକେଟର ତଥା ରାଜନେତା ଇମ୍ରାନ ଖାନ । ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଏବଂ ହିଂସା ଉସୁକାଇବା ଭଳି ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି। ଇମ୍ରାନ ଏବେ ରାୱଲପିଣ୍ଡିର ଆଦିୟାଲା ଜେଲରେ ବନ୍ଦ ରହିଛନ୍ତି ।