Spread the love

ପ୍ରୟାଗରାଜ : ନିକଟରେ ନିହତ ହୋଇଥିବା କୁଖ୍ୟାତ ମାଫିଆ ତଥା ରାଜନେତା ଅତିକ୍ ଅହମଦ ପ୍ରୟାଗରାଜରେ ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ସଂପତ୍ତି ମାଡ଼ି ବସିଥିଲା। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରର ମଙ୍ଗ ଧରିଥିବାବେଳେ ୨୦୦୭ ମସିହାରେ ଏହା ହୋଇଥିଲା। ଅତିକ୍‌ ଯେଉଁ ସଂପତ୍ତି ମାଡ଼ି ବସିଥିଲା ତାହା ଥିଲା ସୋନିଆ ଗାନ୍ଧିଙ୍କ ଶ୍ବଶୁର ଫିରୋଜ ଗାନ୍ଧିଙ୍କ ପରିବାରର ସଦସ୍ୟ ବୀରା ଗାନ୍ଧିଙ୍କର।

ସେହି ସମୟରେ ଅତିକ୍‌ ଫୁଲପୁରରର ସାଂସଦ ଥିଲା। ଏଥିସହିତ ଉତ୍ତର ପ୍ରଦେଶରେ ତା’ ଦଳ ସମାଜବାଦୀ ପାର୍ଟିର ଶାସନ ଚାଲୁଥିଲା। ତେଣୁ ଏହି ମାମଲାରେ ବୀରା ଗାନ୍ଧିଙ୍କୁ ସହାୟତା କରିବାକୁ କେହି ଆଗକୁ ବାହାରୁ ନଥିଲେ। ତେବେ ବୀରା ସୋନିଆଙ୍କୁ ଏ ନେଇ ଜଣାଇଥିଲେ। ଏହାପରେ ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ବୀରାଙ୍କୁ ତାଙ୍କ ସଂପତ୍ତି ମିଳି ପାରିଥିଲା।

ସୋନିଆ ଗାନ୍ଧିଙ୍କ ଶ୍ବଶୁର ଘରର ଅନେକ ଲୋକ ପ୍ରୟାଗରାଜରେ ବାସ କରନ୍ତି। ପ୍ରୟାଗରାଜର ସିଭିଲ ଲାଇନ ଅଞ୍ଚଳରେ ଏମଜି ମାର୍ଗରେ ବୀରା ଗାନ୍ଧିଙ୍କ ପରିବାରର ପ୍ୟାଲେସ ଥିଏଟର ଥିଲା। ପରିବାର ମଧ୍ୟରେ ସଂପତ୍ତି ଭାଗବଣ୍ଟା ‌ସମୟରେ ବୀରାଙ୍କ ଭାଗ୍ୟରେ ତାହାର କିଛି ଅଂଶ ପଡ଼ିଥିଲା। ସେହି ସ୍ଥାନ ନିକଟରେ ଅସ୍ଥାନା ନାମକ ଏକ ପରିବାର ଠାରୁ କିଛି ଜମି ଅତିକ କିଣିଥିଲା। ବୀରା ଗାନ୍ଧିଙ୍କ ସଂପତ୍ତି ସଂପର୍କରେ ଜାଣିବା ପରେ ଅତିକ୍ ତାହାକୁ ମାଡ଼ି ବସିବା ସହ ତାଲା ପକାଇ ରଖିଥିଲା। ବୀରା ଗାନ୍ଧି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ଠାରୁ ସଂପତ୍ତି ପାଇବା ପାଇଁ ସହାୟତା ଲୋଡ଼ିଥିଲେ ବି କିଛି ସୁଫଳ ମିଳି ନଥିଲା। ‌ସୋନିଆ ସେତେବେଳେ ପ୍ରୟାଗରାଜର ପ୍ରଭାବଶାଳୀ କଂଗ୍ରେସ ନେତ୍ରୀ ରୀତା ବହୁଗୁଣା ଯୋଶୀଙ୍କୁ ଉକ୍ତ ମାମଲାକୁ ଦେଖିବା ପାଇଁ କହିଥିଲେ। ଏହାପରେ ରୀତା ଜିଲ୍ଲା ପ୍ରଶାସନ ସହ କଥା ହୋଇ ଘଟଣାର ସମାଧାନ କରିଥିଲେ। ଫଳରେ ବୀରା କୌଣସି ମାମଲା ରୁଜୁ କରି ନଥିଲେ। ସଂପତ୍ତି କ୍ଷେତ୍ରରେ ଅତିକ ଅତ୍ୟନ୍ତ ଲୋଭୀ ଥିଲା। ସହରରେ ସେ ଅନେକ ଜାଗା ମାଡ଼ି ବସି ରଖିବା ସହ ଲୋକଙ୍କୁ ବଳପୂର୍ବକ ସେମାନଙ୍କ ସମ୍ପତ୍ତିରୁ ବେଦଖଲ କରୁଥିଲା।

Leave a Reply

Your email address will not be published. Required fields are marked *