Spread the love

ଆସାମ : ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ପକ୍ଷପାତିତା ଓ ନିର୍ଯାତନା ଅଭିଯୋଗ ଆଣିଥିବା ଆସାମ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅଙ୍ଗକିତା ଦତ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଙ୍ଗକିତା ଦତ୍ତଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି।
ଅଙ୍ଗକିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସରକାରରେ ମନ୍ତ୍ରୀ ଭାବେ କାମ କରିଥିବା ଅଞ୍ଜନ ଦତ୍ତଙ୍କ ଝିଅ। ଅଙ୍ଗକିତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭି ୬ ମାସ ହେଲା ତାଙ୍କୁ ହଇରାଣ କରିବା ସହିତ ନିର୍ଯାତନା ଦେଇ ଆସୁଛନ୍ତି। ଏମିତିକି ଏ ସଂପର୍କରେ ଦଳର ଉପର ସ୍ତରରେ ଅଭିଯୋଗ କଲେ ପରିଣାମ ଅତି ଖରାପ ହେବ ବୋଲି ଧମକ ଦେଉଛନ୍ତି।
ତାଙ୍କ ଅଭିଯୋଗ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଏକାଧିକ ଟ୍ୱିଟ୍ କରି ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। ଏହା ପରେ ଭାରତୀୟ ଯୁବ କଂଗ୍ରେସର ଲିଗାଲ ସେଲ୍ ଅଙ୍ଗକିତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲା। ଏହାର ଦିନକ ପରେ ତାଙ୍କୁ ଆସାମ ଯୁବ କଂଗ୍ରେସ ସଭାପତି ପଦରୁ ହଟାଇ ଦିଆଯାଇଥିଲା ବୋଲି କହିଥିଲେ ଅଙ୍ଗକିତା।
ଏହା ଭିତରେ ଜାତୀୟ ମହିଳା କମିଶନ ଆସାମ ପୁଲିସକୁ ଅଙ୍ଗକିତା ଆଣିଥିବା ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ କହିଛନ୍ତି। ଏହା ସହିତ ଏହାର ଏକ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ଆସାମ ଡିଜିପିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଗୁରୁବାର ଅଙ୍ଗକିତା ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ କଂଗ୍ରେସ ଏହି ଘଟଣାର ସମାଧାନ କରି ନପାରିଲେ ଆଉ କିଛି ଦିନ ମଧ୍ୟରେ ଆଇନ ତା’ ବାଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *