Spread the love

ଜୟପୁର : ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳିରେ ଘିଅ ଢାଳିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ।
କଂଗ୍ରେସ ସବୁବେଳେ ସଚିନ ପାଇଲଟଙ୍କ ତୁଳନାରେ ଅଶୋକ ଗେହଲଟଙ୍କୁ ପ୍ରାଧ୍ୟାନ୍ୟ ଦେଇ ଆସିଛି। କାରଣ ସେ କଂଗ୍ରେସ ପାଣ୍ଠିକୁ ରାଜ୍ୟର ଦୁର୍ନୀତି ଟଙ୍କା ଅଧିକ ମାତ୍ରାରେ ଦେଉଛନ୍ତି ବୋଲି ଶାହ ଅଭିଯୋଗ କରିଛନ୍ତି।
ରାଜସ୍ଥାନର ଭରତପୁରରେ ବୁଥସ୍ତରୀୟ ବିଜେପି କର୍ମୀଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି, “ପାଇଲଟ ଯାହା କିଛି କରି ଧାରଣାରେ ବସିଲେ ମଧ୍ୟ ତାଙ୍କ ପାଳି କେବେ ବି ଆସିବ ନାହିଁ। କାରଣ କଂଗ୍ରେସ ପାଣ୍ଠି ପ୍ରତି ତାଙ୍କର ଯୋଗଦାନ ଗେହଲଟଙ୍କ ଯୋଗାଦାନ ତୁଳନାରେ କମ। ଗେହଲଟଙ୍କ ଯୋଗାଦାନ ସବୁବେଳେ ଅଧିକ ରହିଛି। ଗେହଲଟ ରାଜସ୍ଥାନ ସରକାରକୁ ଦୁର୍ନୀତିର ଆଡ୍ଡା ବନାଇଛନ୍ତି। ସେ ରାଜ୍ୟକୁ ଲୁଟ କରୁଛନ୍ତି। ଦୁର୍ନୀତିରୁ ମିଳୁଥିବା ଟଙ୍କା କଂଗ୍ରେସ ପାଣ୍ଠିକୁ ଯାଉଛି।”
୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପ୍ରସଙ୍ଗରେ ଶାହ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସରକାର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ହାଇକୋର୍ଟରେ ଉପଯୁକ୍ତ ପ୍ରମାଣ ଦାଖଲ କରି ନଥିଲେ। ରାଜସ୍ଥାନ ସରକାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛି। ଏହା ଏକ ୩-ଡି ସରକାର। ଡିର ଅର୍ଥ ଦଙ୍ଗା ଓ ଦଳିତ ଏବଂ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ବୋଲି ଶାହ କହିଛନ୍ତି।

ରାଜସ୍ଥାନରେ ବିଜେପି ଦୁଇ ତୃତୀୟାଂଶ ଭୋଟ ସହ ସରକାର ଗଠନ କରିବ ଓ ପୁଣି ୨୫ଟି ଯାକ ଲୋକସଭା ଆସନ ଜିତିବ ବୋଲି ଶାହ ଦମ୍ଭୋକ୍ତି କରିଛନ୍ତି।

Leave a Reply

Your email address will not be published. Required fields are marked *