Spread the love

ପାଟନା : କିଛି ଦିନର ବ୍ୟବଧାନ ପରେ ପୁଣି ବିହାରରେ ବିଷାକ୍ତ ମଦ ନେଇଛି ଲୋକଙ୍କ ଜୀବନ। ବିଷାକ୍ତ ମଦ ପିଇ ବିହାରର ମୋତିହାରି ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୬ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୦୧୬ରୁ ବିହାରରେ ମଦ ପିଇବା ଓ ମଦ ବିକ୍ରି ଉପରେ ରୋକ ଲାଗିଥିଲେ ହେଁ ରାଜ୍ୟରୁ ବାରମ୍ବାର ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଷାକ୍ତ ମଦର କାରବାର ଚାଲିଥିବା ବେଳେ ଏବେ ମୋତିହାରିରେ ସମାନ ଘଟଣା ଘଟିଛି। ଜିଲ୍ଲାର ଲକ୍ଷ୍ମୀପୁର, ପାହାରପୁର ଓ ହରିସିଦ୍ଧି ବ୍ଲକରେ ବିଷାକ୍ତ ମଦ ୨୦ ଜଣଙ୍କ ଜୀବନ ନେଇଥିବା ପୁଲିସ କହିଛି। ଆଉ ୬ ଜଣ ଅସୁସ୍ଥ ହେବାକରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ତଳେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜାତୀୟ ମାନବାଧିକାର କମିଶନ ନିକଟରେ ଜାରି କରିଥିବା ରିପୋର୍ଟରେ କହିଥିଲେ ଯେ ସାରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପାଇଁ ରିପୋର୍ଟରେ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲା।
କିନ୍ତୁ ଉକ୍ତ ରିପୋର୍ଟ ପଛରେ ରାଜନୀତିକ ଅଭିସନ୍ଧି ଥିବା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ରିପୋର୍ଟ ପ୍ରକାଶ ପାଇଛି। ବିଜେପି ଜାଣିଶୁଣି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚାହୁଁଥିବା ସେ କହିଥିଲେ।
ସାରନ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବିଜେପି ବିଧାନସଭା ଭିତରେ ମଧ୍ୟ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲା। ଏଥିରେ ରାଗି ଯାଇ ନୀତୀଶ କୁମାର କହିଥିଲେ ଯେ “ଯଦି ମଦ ପିବେ, ତା’ହେଲେ ସେମାନେ ମରିବେ। ଏହାର ଉଦାହରଣ ଆମ ଆଗରେ ରହିଛି। ମଦ ବ୍ୟାନ ହୋଇ ନଥିବା ରାଜ୍ୟରେ ମଧ୍ୟ ଲୋକମାନେ ବିଷାକ୍ତ ମଦ ପିଇ ପ୍ରାଣ ହରାଉଛନ୍ତି।
ଲୋକମାନେ ସତର୍କ ରହିବା ଦରକାର। ମଦ ବ୍ୟାନ ହୋଇଛି ମାନେ ବିଷାକ୍ତ ଜିନିଷ ବିକ୍ରି ହେବାର ଆଶଙ୍କା ରହିଛି। ଏଥିପାଇଁ ଲୋକମାନ ମରିଛନ୍ତି। ମଦ ବହୁତ ଖରାପ ଓ ଏହାକୁ ପାନ କରିବା ଠିକ ନୁହେଁ।”

Leave a Reply

Your email address will not be published. Required fields are marked *