କରାଚି : ପାକିସ୍ତାନରେ ଆତ୍ମଘାତୀ ହମଲା । କରାଚି ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି ।
ସୂଚନା ଅନୁଯାୟୀ, ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ସିନ୍ଧ ରେଞ୍ଜର୍ସର ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା । ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଗାଡ଼ିରେ ଆସି ମୁଖ୍ୟ ଫାଟକ ଭାଙ୍ଗି କମ୍ପ୍ଲେକ୍ସରେ ପ୍ରବେଶ କରି ହ୍ୟାଣ୍ଡ୍ ଗ୍ରେନେଡ୍ ଫିଙ୍ଗିବା ସହ ଆଖିବୁଜା ଗୁଳି ଚଳାଇଥିଲେ ।
ଭୟଙ୍କର ବିସ୍ଫୋରଣ ଏବଂ ଗୁଳିମାଡ଼ର ଖବର ପାଇ ପୋଲିସ ଓ ସେନାବାହିନୀର ସ୍ୱତନ୍ତ୍ର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆବାସିକ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି ।
ପାକିସ୍ତାନର ସ୍ପେଶାଲ୍ ସିକ୍ୟୁରିଟି ୟୁନିଟ୍, ଆଣ୍ଟି-ଟେରୋରିଷ୍ଟ ଫୋର୍ସ ଏବଂ ରେଞ୍ଜର୍ସ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆକ୍ରମଣକାରୀମାନେ ତେହରିକ-ଏ-ତାଲିବାନ ପାକିସ୍ତାନର ଏକ ଗୋଷ୍ଠୀ ଜମାତ-ଉଲ-ଆହରର ସହିତ ଜଡିତ ବୋଲି ଜଣାପଡିଛି ।
ଘଟଣାରେ ପାକ୍ ସେନାର ୪ ଜଣ ରେଞ୍ଜର୍ସ ପ୍ରାଣ ହରାଇଛନ୍ତି । ଏହାସହ ୬ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରି ଦିଆଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି ।