Spread the love

ନ୍ୟୁୟର୍କ: କମ୍ପାନି ବ୍ୟବସାୟ ଠକେଇ ମାମଲାରେ ଗୁରୁବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ନିଜ ମାଲିକାନାରେ ଥିବା କମ୍ପାନିର ବ୍ୟବସାୟ ସଂକ୍ରାନ୍ତରେ ଚାଲିଥିବା ମାମଲାର ଏହା ଥିଲା ଦ୍ବିତୀୟ ପର୍ଯ୍ୟାୟ ବୟାନ ରେକର୍ଡିଙ୍ଗ୍‌। ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ୍‌ଙ୍କ ସହିତ ଚାଲିଥିବା ଏହି ମାମଲା ବିଷୟରେ ଗତକାଲି ଟ୍ରମ୍ପ୍‌ ବିଭିନ୍ନ ଓକିଲଙ୍କୁ ଭେଟିଥିଲେ। ଗତବର୍ଷ ଆଟର୍ଣ୍ଣି ଜେନେରାଲ୍‌ ଲିଟିସିଆ ଜେମ୍‌ସ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ସମ୍ପତ୍ତିର ସାମଗ୍ରିକ ମୂଲ୍ୟ ଓ ହୋଟେଲ୍‌ ଏବଂ ଗଲ୍‌ଫ୍‌ କୋର୍ସ ଭଳି ସମ୍ପତ୍ତିର ମୂଲ୍ୟ ବିଷୟରେ ମିଥ୍ୟା ସୂଚନା ଦେଇ ଟ୍ରମ୍ପ୍‌ ଓ ତାଙ୍କ ପରିବାର ବ୍ୟାଙ୍କ୍‌ ଏବଂ ବ୍ୟାବସାୟିକ ସହଯୋଗୀମାନଙ୍କୁ ବିଭ୍ରାନ୍ତ କରାଇଥିବା କଥା ଆଟର୍ଣ୍ଣିଜେନେରାଲ୍‌ ଉକ୍ତ ମାମଲାରେ ଉଲ୍ଳେଖ କରିଥିଲେ।

ଆଟର୍ଣ୍ଣି ଜେମ୍‌ସ୍‌ଙ୍କ କାର୍ଯ୍ୟାଳୟ ଥିବା ମାନ୍‌ହାଟନ ନଭଶ୍ଚୁମ୍ଭୀ ଅଟ୍ଟାଳିକା ମଧ୍ୟକୁ ଟ୍ରମ୍ପ୍‌ ପ୍ରବେଶ କରିବା ପରେ ତାଙ୍କ ଓକିଲ ଏଲିନା ହାବ୍‌ବା କହିଲେ, ଇଚ୍ଛା ନ ଥିଲେ ବି ଟ୍ରମ୍ପ୍‌ ବିଚାରର ସମ୍ମୁଖୀନ ହେବାକୁ ବ୍ୟଗ୍ର ହେଉଛନ୍ତି।

ଜେରା ଶେଷ ହେବା ପରେ ଟ୍ରମ୍ପ୍‌ଙ୍କର ଅନ୍ୟତମ ଓକିଲ କ୍ରିଷ୍ଟୋଫର୍‌ କାଇସ୍‌ କହିଲେ ଯେ, ତାଙ୍କର ଅସାଧାରଣ ବ୍ୟାବସାୟିକ ସଫଳତା ପ୍ରସଙ୍ଗରେ ସବିସ୍ତୃତ ବର୍ଣ୍ଣନା କରିବାକୁ ଯାଇ ଟ୍ରମ୍ପ୍‌ ପ୍ରାୟ ୭ ଘଣ୍ଟା କାଳ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ମାମଲାର ମୁଖ୍ୟ ପ୍ରସଙ୍ଗ ହେଉଛି ଆର୍ଥିକ କାରବାର। ଏହି ବ୍ୟବସାୟରୁ ମିଳିଥିବା ବିପୁଳ ଅର୍ଥ ବ୍ୟାଙ୍କ୍‌ ଓ ଟ୍ରମ୍ପ୍‌ଙ୍କ କମ୍ପାନି ଅତ୍ୟନ୍ତ ଲାଭପ୍ରଦ ଥିଲା। ଏହି ସଫଳତା ସମ୍ପର୍କରେ ବାସ୍ତବ କଥା ଜାଣିଲେ ଜାଲିଆତି ହୋଇ ନ ଥିବା କଥା ଦେଶବାସୀ କହିବେ ବୋଲି କାଇସ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *