Spread the love

ୱାସିଂଟନ୍‌: ଅତ୍ୟନ୍ତ ଗୋପନୀୟ ସେନା କାଗଜପତ୍ର ଲିକ୍‌ ଘଟଣାରେ ଗୁରୁବାର ଦିନ ‘ଦି ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ଏଫ୍‌ବିଆଇ) ‘ୟୁଏସ୍‌ ଏୟାର୍‌ ନ୍ୟାସ୍‌ନାଲ୍‌ ଗାର୍ଡ’ର ୨୧ ବର୍ଷିୟ ସୈନିକ ଜ୍ୟାକ୍‌ ଡଗ୍‌ଲାସ୍‌ ଟିଜିରାଙ୍କୁ ଗିରଫ କରିଛି।

ମାସାଚ୍ୟୁସେଟ୍‌ ଅନ୍ତର୍ଗତ ଡିଗ୍‌ଟନ୍‌ସ୍ଥିତ ଟିଜିରାଙ୍କ ବାସଭବନରୁ ‘ଏଫ୍‌ବିଆଇ’ ତାଙ୍କୁ ଗିରଫ କରିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଗୁଇନ୍ଦା କାଗଜପତ୍ର ବା ଡକ୍ୟୁମେଣ୍ଟ୍‌ ସର୍ବସାଧାରଣରେ ଲିକ୍‌ ହେବାର ଗୋଟାଏ ସପ୍ତାହ ପରେ ଟିଜିରାଙ୍କୁ ଗିରଫ କରାଯାଇଛି। ଏହି କାଗଜପତ୍ର ଲିକ୍‌ ହୋଇଯିବାରୁ ୱାସିଂଟନ୍‌ ଏବଂ ତା’ର ମିତ୍ର ରାଷ୍ଟ୍ରମାନେ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଥିଲେ। ଲିକ୍‌ ହୋଇଥିବା କାଗଜପତ୍ରରେ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ଏବଂ ମିତ୍ର ରାଷ୍ଟ୍ରମାନଙ୍କରେ ୱାସିଂଟନ୍‌ର ଗୁପ୍ତଚରଗିରି ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସାମରିକ ସୂଚନା ଉଲ୍ଲେଖ ଥିଲା।

ଆଟର୍ଣ୍ଣି ଜେନେରାଲ୍‌ ମେରିକ୍‌ ଗାର୍ଲାଣ୍ଡ୍‌ କହିଛନ୍ତି, ଗୋପନୀୟ ଜାତୀୟ ପ୍ରତିରକ୍ଷା ସୂଚନାକୁ ଅଣସ୍ବୀକୃତ ଭାବେ ବାହାର କରିବା, ପାଖରେ ରଖିବା ଏବଂ ହସ୍ତାନ୍ତର କରିବାରେ ସମ୍ପୃକ୍ତ ଥିବାରୁ ତାଙ୍କୁ ଗିରଫ କରାଯାଇଛି। ଏବେ ସେ ହାଜତରେ ଅଛନ୍ତି। ଶୁକ୍ରବାର ଦିନ ତାଙ୍କର ବିଚାର ହେବ।

ପେଣ୍ଟାଗନ୍‌ ଚାକିରି ଅନୁସାରେ, ଟିଜିରା ଅତି କନିଷ୍ଠ। ତାଙ୍କର କାମ ହେଉଛି ଆମ ଯୋଗାଯୋଗ ବ୍ୟବସ୍ଥା ଚାଲୁ ରଖିବା। ୨୦୧୯ରେ ସେ ‘ଏୟାର୍‌ ନ୍ୟାସ୍‌ନାଲ୍‌ ଗାର୍ଡ’ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *