Spread the love

ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା ମାରି ସମସ୍ତଙ୍କୁ ଆଚମ୍ଭିତ କରି ଦେଇଥିଲେ। ଏହାପର ଠାରୁ ରିଙ୍କୁଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି।
ତେବେ ଆଇପିଏଲ ଖେଳିବା ରିଙ୍କୁଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବା ସହିତ କ୍ରିକେଟ ପାଇଁ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ କୋଲକାତା ତାଙ୍କୁ ୫୫ ଲକ୍ଷ ଟଙ୍କାରେ କିଣିଥିଲା।
ରବିବାର ଇନିଂସ ପରେ ଉତ୍ତର ପ୍ରଦେଶର ଆଲିଗଡ଼ରେ ବସବାସ କରୁଥିବା ରିଙ୍କୁଙ୍କ ଭାଇ ସୋନୁ ସିଂହ ଏକ ସାକ୍ଷାତକାରରେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି,‘ଏକଦା ପେଟ ପୋଶିବା ପାଇଁ ରିଙ୍କୁ ପର ଘରେ ଝାଡ଼ୁ ଓ ପୋଛା କାମ କରୁଥିଲେ। ପର ଘରେ କାମ କରି ଟଙ୍କା ରୋଜଗାର କରିବା ସହ ପରିବାରର ଋଣ ଶୁଝୁଥିଲେ ସେ। ରହିବା ପାଇଁ ପରିବାର ପାଖରେ ଭଲ ଘରେ ଖଣ୍ଡେ ମଧ୍ୟ ନଥିଲା। ବାପା ଘରଘର ବୁଲି ଏଲପିଜି ସିଲିଣ୍ଡର ଦେଇଥାଆନ୍ତି। ସେ କାମ କରୁଥିବା ଗ୍ୟାସ ଗୋଦାମରେ ଆମ ପରିବାର ରହୁଥିଲା। ବହୁତ କଷ୍ଟରେ ଜୀବନ କାଟିଛୁ ଆମେ।’
ରିଙ୍କୁ ମ୍ୟାଚ୍‌ ପରେ କହିଛନ୍ତି, “ମୁଁ ନିଜ ଉପରେ ବିଶ୍ୱାସ ରଖିଥିଲି। ମୁଁ ନିଶ୍ଚିତ ମ୍ୟାଚ୍‌ ଶେଷ କରିବି ବୋଲି ସ୍ଥିର କରିଥିଲି। ଭଗବାନଙ୍କ କୃପାରୁ ଏହା ସମ୍ଭବ ବି ହେଲା।’

Leave a Reply

Your email address will not be published. Required fields are marked *