କୋଲକତା: ଏସ୍ଆଇଆର୍ ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ୨ ନିର୍ବାଚନ କମିଶନରଙ୍କ ଅସହମତି ଓ ଅସନ୍ତୋଷ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିରୋଧୀ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । ଏଥିରେ ଦୁଇପାଦ ଆଗରେ ଅଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ କରାଇବା ସହ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କରିବାକୁ ସେ ସାମାଜିକ ଗଣମାଧ୍ୟମରେ ଦାବି ଜଣାଇଛନ୍ତି ।
ମମତା ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ବିଜେପି ଇଙ୍ଗିତରେ କାର୍ଯ୍ୟ କରିଛନ୍ତି । ଏସଆଇଅରରେ ଜାଣିଶୁଣି ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାଁ କଟାଯାଇଛି ଯାହାର ଫାଇଦା ବିଜେପିକୁ ମିଳିଛି । ପୁରୁଣା ଭୋଟର ଲିଷ୍ଟ ଅନୁସାରେ ଆଉଥରେ ପଶ୍ଚିମବଙ୍ଗରେ ନିର୍ବାଚନ କରିବାକୁ ସେ ଦାବି ଜଣାଇଛନ୍ତି । ଇଣ୍ଡିଆ ମେଂଟ ନେତାମାନଙ୍କ ସହ ଆଲୋଚନା କରି ଦେଶବ୍ୟାପୀ ଏ ନେଇ ଆନ୍ଦୋଳନ କରାଯିବ ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୋଟର ତାଲିକା ସଂଶୋଧନ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ୨ କମିଶନର ସୁଖଭୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ମତଭେଦ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହି ମତଭେଦ ଏକ ନିୟମିତ ପ୍ରକ୍ରିୟା, ଆଲୋଚନା ପର୍ଯ୍ୟାଲୋଚନା ବେଳେ ଏମିତି ମତଭେଦ ଥାଏ ଯାହାର କି ସମାଧାନ ହୋଇଥାଏ । ଏସଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ପୂର୍ଣ୍ଣ ସହମତି ମିଳିଛି ବୋଲି ନିର୍ବାଚନ କମିଶନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।