Spread the love

ମୁମ୍ବାଇ: ବିସିସିଆଇର ଆସନ୍ତା ଘରୋଇ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୩-୨୪ ଋତୁର ପ୍ରାଥମିକ ଖେଳସୂଚୀରେ ଜୁନ୍‌ ୨୮ ରୁ ଜୁଲାଇ ୧୬ ମଧ୍ୟରେ ଦଲୀପ ଟ୍ରଫି ଆୟୋଜନ କରାଯିବ। ସେହିପରି ଗତ ତିନି ଋତୁ ଧରି ବନ୍ଦ ହୋଇଯାଇଥିବା ଦେଓଧର ଟ୍ରଫିକୁ ଏଥର ଆ‌ରମ୍ଭ କରିବାକୁ ଚିନ୍ତା କରାଯାଇଛି। ଜୁଲାଇ ୨୪ ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ଦେଓଧର ଟ୍ରଫି ଆୟୋଜନ ପାଇଁ ସ୍ଲଟ୍‌ ରଖାଯାଇଛି। ୨୦୧୯ ମସିହାରୁ ଆଦୌ ଆୟୋଜନ ହୋଇନଥିବା ଏହି ପ୍ରତିଯୋଗିତାକୁ ଏଥର ଜୋନାଲ୍‌ ଫର୍ମାଟ୍‌ରେ ଆୟୋଜନ କରାଯିବ। କିନ୍ତୁ କେଉଁ ସ୍ଥାନଗୁଡ଼ିକରେ ଖେଳାଯିବ ତାହା ଚୂଡ଼ାନ୍ତ ହୋଇନାହିଁ। କାରଣ ଯେଉଁ ସ୍ଲଟ୍‌ ରଖାଯାଇଛି, ସେହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ତଥାପି ବେଙ୍ଗାଲୁରୁ କିମ୍ବା ତାମିଲନାଡୁରେ ଦେଓଧର ଟ୍ରଫି ଆୟୋଜନ ପାଇଁ ପ୍ରାଥମିକ ଯୋଜନା ରହିଥିବା ସୂଚନା ମିଳିଛି।
ମୌସୁମୀ ଶେଷ ହେବା ପରେ ଅକ୍ଟୋବର ୧ରୁ ୫ ତାରିଖ ମଧ୍ୟରେ ଈରାନୀ କପ୍‌ ଖେଳାଯିବ। ଏଥିରେ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ର ସହିତ ଅବଶିଷ୍ଟ ଭାରତ ମୁହାଁମୁହିଁ ହେବେ। ଏହାପରେ ଅକ୍ଟୋବର ୧୬ରୁ ନଭେମ୍ବର ୬ ମଧ୍ୟରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ନଭେମ୍ବର ୨୩ରୁ ବିଜୟ ହଜାରେ ଟ୍ରଫି ଆୟୋଜନ ହୋଇପାରେ। ବରିଷ୍ଠ ମହିଳାମାନଙ୍କ କ୍ରିକେଟ୍‌ ଋତୁ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରୁ ଆରମ୍ଭ ହେବ। ଅକ୍ଟୋବର ୧୯ ରୁ ନଭେମ୍ବର ୯ ମଧ୍ୟରେ ଏହାକୁ ଖେଳାଯିବା ପରେ ନଭେମ୍ବର ୨୪ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଅନ୍ତଃଜୋନ୍‌ ଟ୍ବେଣ୍ଟି-୨୦ ଖେଳାଯିବ। ଏହାପରେ ଜାନୁଆରି ୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ମହିଳାଙ୍କ ଦିନିକିଆ ପ୍ରତିଯୋଗିତା ଆୟୋଜିତ ହେବ।
ବିସିସିଆଇର ସବୁଠୁ ବଡ଼ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ଜାନୁଆରି ୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି। ରଣଜୀ ଟ୍ରଫିର ଅବଧିକୁ ମୋଟ୍‌ ୭୦ ଦିନରେ ସୀମିତ ରଖାଯାଇଛି। ଫେବ୍ରୁଆରି ୧୯ ମଧ୍ୟରେ ଏଲିଟ୍‌ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଶେଷ ହେବା ପରେ ଫେବ୍ରୁଆରି ୨୩ ତାରିଖରୁ ନକ୍‌ଆଉଟ୍‌ ପର୍ଯ୍ୟାୟଗୁଡ଼ିକ ଖେଳାଯିବ। ସେହିପରି ପ୍ଲେଟ୍‌ ଗ୍ରୁପ୍‌ର ମ୍ୟାଚ୍‌ଗୁଡ଼ିକ ଫେବ୍ରୁଆରି ୫ ଭିତରେ ଶେଷ ହେବା ପରେ ଫେବ୍ରୁଆରି ୯ରୁ ୨୨ ତାରିଖ ମଧ୍ୟରେ ନକ୍‌ଆଉଟ୍‌ ମ୍ୟାଚ୍‌ ଶେଷ କରାଯିବ। ଏଲିଟ୍‌ ଗ୍ରୁପ୍‌କୁ ୪ ଭାଗରେ ବଣ୍ଟାଯାଇଥିଲା ବେଳେ ପ୍ରତି ସବ୍‌ ଗ୍ରୁପ୍‌ରେ ୮ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। କିନ୍ତୁ ପ୍ଲେଟ୍‌ ଗ୍ରୁପ୍‌ରେ ୬ ଦଳ ପରସ୍ପର ସହିତ ଖେଳିବେ। ପ୍ରତି ଗ୍ରୁପ୍‌ର ୨ ଶ୍ରେଷ୍ଠ ‌ଦଳ କ୍ବାର୍ଟରଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟପକ୍ଷରେ ପ୍ଲେଟ୍‌ ଗ୍ରୁପ୍‌ର ଶୀର୍ଷ ୪ ଦଳ ସିଧାସଳଖ ସେମିଫାଇନାଲ୍‌ ଖେଳିବେ। ପ୍ଲେଟ୍‌ ଗ୍ରୁପ୍‌ର ଦୁଇ ଫାଇନାଲିଷ୍ଟ ପରବର୍ତ୍ତୀ ଋତୁରେ ଏଲିଟ୍‌ ଗ୍ରୁପ୍‌ରେ ସ୍ଥାନ ପାଇବେ। ଏଲିଟ୍‌ ଗ୍ରୁପ୍‌ର ସବୁଠୁ ତଳେ ରହୁଥିବା ଦୁଇଟି ଦଳ ପରବର୍ତ୍ତୀ ଋତୁରେ ପ୍ଲେଟ୍‌ ଗ୍ରୁପ୍‌କୁ ଖସିଆସିବେ। ସବୁ ଘରୋଇ ପ୍ରତିଯୋଗିତାକୁ ସ୍ଥାନ ଦେବା ପାଇଁ ବିସିସିଆଇ ଘରୋଇ ଋତୁକୁ ଟିକେ ଆଗରୁ ଆରମ୍ଭ କରିବାକୁ ଚିନ୍ତା କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *