ବାରିପଦା : ବିଶ୍ୱପ୍ରସିଦ୍ଧ ଛଉନୃତ୍ୟକୁ ଅଧିକ ଆକର୍ଷଣୀୟ କରିବେ ମହିଳା ଛଉ ନୃତ୍ୟଦଳ। ଗ୍ରାମାଞ୍ଚଳର ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମଥର ପାଇଁ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିବେ। ଏଥିପାଇଁ ସେମାନେ ନୃତ୍ୟ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ରୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଛଉନୃତ୍ୟର ଏହି ନୂତନ ଅଧ୍ୟାୟ।
ପୂର୍ବରୁ କେବଳ ପୁରୁଷମାନେ ଛଉନୃତ୍ୟ ପରିବେଷଣ କରୁଥିଲେ। ଏମିତିକି ନାରୀ ଭୂମିକାରେ ପୁରୁଷମାନେ ଅଭିନୟ କରୁଥିଲେ। ଯଦିଓ ୯୦ ଦଶକର ଶେଷ ଆଡ଼କୁ ମହିଳା କଳାକାରମାନେ ଏଥିରେ ସାମିଲ ହେଲେ, କିନ୍ତୁ ଏଯାଏ କେବଳ ମହିଳାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଦଳ ନୃତ୍ୟ ପରିବେଷଣ କରୁନଥିଲେ। ତେବେ ଏହି ଧାରାକୁ ବଦଳାଇବା ପାଇଁ ମୋରଡ଼ା ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ସ୍ବୟଂସହାୟକ ଗୋଷ୍ଠୀର ଆଗ୍ରହୀ ମହିଳାମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦିଆଯାଉଛି। ୫୦ରୁ ଅଧିକ ମହିଳା ନିଜ ପରିବାର ଜଞ୍ଜାଳ ସାରିବା ପରେ ନୃତ୍ୟଶିକ୍ଷା ଗ୍ରହଣ କରୁଥିବା କହିଛନ୍ତି ଚିତ୍ରଡ଼ା ସଂଘର ସଦସ୍ୟା ସନ୍ଧ୍ୟାରାଣୀ ମହାନ୍ତ। ଗୁରୁ ଜାନକୀ ମହାନ୍ତଙ୍କ ତତ୍ତ୍ୱାବଧାନରେ ଦୈନିକ ୩ ଘଣ୍ଟା ପ୍ରଶିକ୍ଷଣ ନେଉଥିବା ଏହି ମହିଳାମାନେ ପ୍ରଥମ କରି ଚିତ୍ରଡ଼ାର ଉଡ଼ା ପର୍ବ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଛଉନୃତ୍ୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି ମୋରଡ଼ା ବ୍ଲକ୍ ସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ।
ଏ ସମ୍ପର୍କରେ କଳାକାର ସାଇବନ୍ଦନା ବେହେରାଙ୍କ କହିବା ଅନୁସାରେ, ପ୍ରଥମେ ନୃତ୍ୟଶିକ୍ଷା ଗ୍ରହଣ ସମୟରେ ସମସ୍ୟା ହେଉଥିଲା। ନିରନ୍ତର ଉଦ୍ୟମ ଯୋଗୁ ଆଉ ଅସୁବିଧା ହେଉନି। ଏମିତିରେ ଛଉନୃ୍ତ୍ୟ ବେଶ୍ କଷ୍ଟସାଧ୍ୟ। ତେବେ, ମଞ୍ଚରେ ପରିବେଷଣ ପରେ ଏହି ଭୟ ଦୂରେଇ ଯିବାନେଇ ସମସ୍ତେ ଆଶାବାଦୀ ଅଛନ୍ତି। ଛଉନୃତ୍ୟ ମୟୂରଭଞ୍ଜର ପରିଚୟ ହୋଇଥିବା ବେଳେ ଏଥିରେ କିଛି ଭିନ୍ନତା ଓ ସ୍ୱତନ୍ତ୍ରତା ଆଣିବା ପାଇଁ ମାମାନେ ଘରୁ ପାଦ କାଢ଼ିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଛନ୍ତି ଛଉ ନୃତ୍ୟଗୁରୁ ଡ.କମଳେନ୍ଦୁ ଲାଲମହାନ୍ତ।