ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଆଉ ୧୦ଟି ନୂତନ ସରକାରୀ ଆଇଟିଆଇରେ ନାମଲେଖା ହେବାକୁ ଯାଉଛି। ପୂର୍ବରୁ ରାଜ୍ୟରେ ୫୦ଟି ଆଇଟିଆଇ ଥିବା ବେଳେ ଏବର୍ଷ ବାଲୁଗାଁ, ଭଞ୍ଜନଗର, କରଞ୍ଜିଆ, କପ୍ତିପଦା, ରୁଆ, ଓଳାଭର, ଆଠମଲ୍ଲିକ, ଜୁନାଗଡ଼, ପାଟଣାଗଡ଼ ଓ ବଂଶପାଳଠାରେ ନୂତନ ଆଇଟିଆଇ ଖୋଲିଛି। ଚଳିତ ଶିକ୍ଷାବର୍ଷ ପାଇଁ ଉକ୍ତ ଆଇଟିଆଇଗୁଡ଼ିକ ନୂଆଦିଲ୍ଲୀସ୍ଥିତ ଏନ୍ସିଭିଇଟି ସହବନ୍ଧିତ ହୋଇଛି ଏବଂ ଏହାଦ୍ବାରା ବୈଷୟିକ ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଯାଇପାରିବ ବୋଲି ରଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି।
ଉକ୍ତ ୧୦ଟି ନୂତନ ଆଇଟିଆଇକୁ ମିଶାଇ ରାଜ୍ୟର ମୋଟ ୪୭୫ଟି ଶିକ୍ଷାନୁଷ୍ଠାନର ୮୦ ହଜାର ୨୫୬ ସିଟ୍ରେ ଚଳିତ ଶିକ୍ଷାବର୍ଷରେ ନାମଲେଖା ହେବ। ସେଥିମଧ୍ୟରୁ ୬୦ଟି ସରକାରୀ ଆଇଟିଆଇରେ ୧୫ ହଜାରରୁ ଅଧିକ ସିଟ୍ ରହିଛି। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ନଜରରେ ରଖି ଏଥର କେତେକ ଆଇଟିଆଇର ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ବ୍ରହ୍ମପୁର ଆଇଟିଆଇରେ ସର୍ବାଧିକ ୧୮୮୦ ସିଟ୍ ଥିବା ବେଳେ କଟକ ଆଇଟିଆଇରେ ୧୫୯୨, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଆଇଟିଆଇରେ ୧୦୭୨, ସମ୍ବଲପୁର ଜିଲ୍ଲା ହୀରାକୁଦ ଆଇଟିଆଇରେ ୭୯୨, ବାଲେଶ୍ବରର ୭୦୮, ହିଞ୍ଜିଳିକାଟୁରେ ୭୦୪, କେନ୍ଦୁଝର ଜିଲ୍ଲା ବଡବିଲ୍ରେ ୭୦୦, କୋରାପୁଟ ଜିଲ୍ଲାର ଗୋପବନ୍ଧୁ ଆମ୍ବାଗୁଡ଼ା ଆଇଟିଆଇର ୬୭୨, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ୬୫୬, ମୟୂରଭଞ୍ଜ ଜିଲ୍ଲା ଟିଟିଆଇ ଟାକଟପୁରରେ ୬୬୪, ଭୁବନେଶ୍ବର ଆଇଟିଆଇରେ ୬୦୦ ସିଟ୍ ରହିଛି। ୪୧୫ଟି ବେସରକାରୀ ଆଇଟିଆଇରେ ପ୍ରାୟ ୬୫ ହଜାର ସିଟ୍ ରହିଥିବା ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷଗୁଡ଼ିକରେ ଆଇଟିଆଇରେ ୫୦% ସିଟ୍ ଖାଲି ପଡ଼ୁଥିବା ବେଳେ ଗତବର୍ଷ ସାମାନ୍ୟ କମ୍ ଥିଲା।
ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଥର ଆଉ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ନାହିଁ। ପରୀକ୍ଷା ସରିବା କ୍ଷଣି ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ବେସରକାରୀ ଆଇଟିଆଇରେ ସାମ୍ସ ମାଧ୍ୟମରେ କେନ୍ଦ୍ରୀୟ ଅନ୍ଲାଇନ୍ ପଦ୍ଧତିରେ ନାମ ଲେଖା ହେଉଛି। ୧୪ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର କୌଣସି ବି ଛାତ୍ରଛାତ୍ରୀ ନାମଲେଖା ଲାଗି ଆବେଦନ କରିପାରିବେ। ବିଭିନ୍ନ ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟ୍ରେଡ୍ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯଥାକ୍ରମେ ଦଶମ ଶ୍ରେଣୀ କିମ୍ବା ୮ମ ଶ୍ରେଣୀ ପାସ୍ ଧାର୍ଯ୍ୟ ହୋଇଛି। ସାମ୍ସ ପୋର୍ଟାଲ www.samsodisha.gov.in ଓ www.dtetodisha.gov.in ରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଉପଲବ୍ଧ ରହିଛି। ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପରେ ଆବେଦନକାରୀମାନେ ସେମାନଙ୍କ ମାର୍କ ଓ ଆବଶ୍ୟକ ପ୍ରମାଣପତ୍ରର ବିବରଣୀ ସାମ୍ସ ପୋର୍ଟାଲରେ ଅପଲୋଡ୍ କରିପାରିବେ ବୋଲି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।