ରାଉରକେଲା: ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକି ପାରୁନି ପ୍ରଶାସନ। ତହସିଲର ବିଭାଗୀୟ ଅଧିକାରୀ ଓ ବାଲିମାଫିଆଙ୍କ ଭିତିରି ସଲାସୁତୁରାରେ ଲୁଟ୍ ହେଉଛି ଦୈନିକ ଶହ ଶହ ଟ୍ରାକ୍ଟର ବାଲି। ବାରମ୍ବାର ଅଭିଯୋଗ ହେଉଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ଏମିତି ଅଭିଯୋଗ ଆସିଛି ବିଶ୍ରା ତହସିଲ ଅନ୍ତର୍ଗତ କୋଏଲନଦୀ ଜାମସେରା ବାଲିଘାଟ (୧)ରୁ। ଫଳରେ କୋଏଲ ଗଭୀର ହେବାରେ ଲାଗିଛି। ବିଶ୍ରା ତହସିଲ ଜଗଦା ଆରଆର୍ ସର୍କଲ ଅନ୍ତର୍ଗତ ଜାମସେରା ଗ୍ରାମରେ କୋଏଲନଦୀ ଉପରେ ଦୁଇଟି ବାଲି ଘାଟ ରହିଛି।
ଗୋଟିଏ ହେଉଛି ଜାମସେରା -୧ ଓ ଅନ୍ୟଟି ଜାମସେରା- ୨। ଦୀର୍ଘଦିନ ଧରି ଜାମସେରା -୧ରେ ବାଲିଘାଟର ଟେଣ୍ଡର ଅବଧି ଶେଷ ହୋଇସାରିଛି। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ସେହି ଘାଟରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଓ ଟ୍ରକ ବାଲି ଚୋରାରେ ଚାଲାଣ ହେଉଛି। ଆଶ୍ଚର୍ଯ୍ୟର କଥା,ବିନା ଟେଣ୍ଡରରେ ଜାମସେରା ୧ ରୁ ଦୀର୍ଘଦିନ ହେବ ଦିନ ଦ୍ବିପହରେ ଝିରପାଣି ମୁଖ୍ୟରାସ୍ତା ଦେଇ ବାଲି ଚୋରାଚାଲାଣ ହେଉଛି। ସବୁ ଜାଣି ସ୍ଥାନୀୟ ପୁଲିସ ଓ ବିଶ୍ରା ତହସିଲ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ବୀରମିତ୍ରପୁର ତହସିଲ ଖୁଟଗାଁ ଆର. ଆଇ. ଅଧୀନରେ ଥିବ ମିଟକୁନ୍ଦୁରି ଗ୍ରାମ ନିକଟସ୍ଥ କୋଏଲସେତୁ ନିକଟରୁ ମଧ୍ୟ ପ୍ରତିଦିନ ଶହ ଶହ ଗାଡି ବାଲିଚୋରି ହେଉଛି।
ଯଦିଓ ବୀରମିତ୍ରପୁର ତହସିଲ ରେକର୍ଡରେ ମିଟକୁନ୍ଦୁରି ବୋଲି ବାଲିଘାଟ ନାହିଁ। ହେଲେ ଯେଉଁ ଜାଗାରୁ ବାଲି ଉଠାଯାଉଛି ତାହା ବୀରମିତ୍ରପୁର ତହସିଲ ଅଧୀନରେ ରହିଛି। ଗତ ବର୍ଷ ଏହିଭଳି ଝିରପାଣି ଅଞ୍ଚଳର କିଛି ବାଲିମାଫିଆ ବୀରମିତ୍ରପୁର ତହସିଲ ସୀମାରୁ ବାଲି ଚୋରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅବଶ୍ୟ ଏହି ବେଆଇନ କାମ ପାଇଁ ସେମାନଙ୍କ ଠାରୁ ପ୍ରାୟ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଜରିମାନା ଆଦାୟ ମଧ୍ୟ ବୀରମିତ୍ରପୁର ତହସିଲ କର୍ତ୍ତୃପକ୍ଷ କରିଥିଲେ।
ତତ୍କାଳୀନ ତହସିଲଦାର ନଦୀ ଗର୍ଭରେ ସୀମା ନିର୍ଦ୍ଧାରଣ କରିଥିଲେ। ବାଲିମାଫିଆଙ୍କୁ ବୀରମିତ୍ରପୁର ସୀମାରୁ ବାଲି ନ ଉଠେଇବାକୁ ତାଗିଦ ମଧ୍ୟ କରାଯାଇଥିଲା। ବୀରମିତ୍ରପୁର ତହସିଲଦାରଙ୍କ ବଦଳି ପରେ ବାଲିମାଫିଆ ପୁଣି ଖୋଲାଖୋଲି ବୀରମିତ୍ରପୁର ତହସିଲ ସୀମାରୁ ବାଲି ବେଆଇନ ଚୋରା ଚାଲାଣ କରୁଛନ୍ତି। ଲୋକ ଅଭିଯୋଗ ପରେ ବାଲିମାଫିଆଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ତଥାପି ଚୋରା ବାଲି ଚାଲାଣ ବନ୍ଦ ହେଉନି। ସେପଟେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିଲେ ହେଁ ଭିତିରି ସଲାସୁତୁରା ଯୋଗୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍ ବସୁଛି। ଅଭିଯୋଗ ହେଲେ କାଁ ଭାଁ ଜରିମାନା କାଟି କାମ ସାରି ଦେଉଛି। ପାନପୋଷ ଉପଜିଲ୍ଲାପାଳ ବେଆଇନ ବାଲି ଚାଲାଣକୁ ବନ୍ଦ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।